
ନୂଆଦିଲ୍ଲୀ: ପୁରୁଖା ତାରକା ସୁରେଶ ରାଇନା ତାଙ୍କର କେତେକ ଭାରତୀୟ ଦଳୀୟ ସାଥୀଙ୍କ ସହ ମିଶି ସଂପ୍ରତି ଗାଜିଆବାଦରେ ପ୍ରସ୍ତୁତି ଚଳାଇଛନ୍ତି। ସେହି ସାଥୀ ଖେଳାଳିଙ୍କ ମଧ୍ୟରେ ଯୁବ ୱିକେଟ୍ରକ୍ଷକ ଋଷଭ ପନ୍ତ୍ ମଧ୍ୟ ରହିଛନ୍ତି। ଏହି ଅବସରରେ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତ ଉତ୍ତରାଧିକାରୀ ଭାବେ ପରିଗଣିତ ହେଉଥିବା ଯୁବ ତାରକା ପନ୍ତ୍ଙ୍କୁ ରାଇନା ପ୍ରଶଂସା କରିଛନ୍ତି। ପନ୍ତ୍ ୨୦୧୯ ଓ ୨୦୨୦ରେ ଅବଶ୍ୟ ଅଧିକାଂଶ ସମୟ ଉତ୍ଥାନ ଓ ପତନ ଦେଇ ଗତି କରିଛନ୍ତି। ଯେଉଁଥିପାଇଁ ତାଙ୍କୁ ଚୂଡାନ୍ତ ଏକାଦଶ ବାହାରେ ରହିବାକୁ ପଡ଼ିଥିଲା ଏବଂ କେଏଲ୍ ରାହୁଲ ତାଙ୍କୁ ସ୍ଥାନ ନେଇଥିଲେ। ହେଲେ ବାମହାତୀ ପନ୍ତ୍ ଜଣେ ବନ୍ଧୁକଚାଳନା ଭଳି ବିସ୍ଫୋରକ ବ୍ୟାଟସମ୍ୟାନ୍। ସେ ଦଳ ପାଇଁ କିଛି ବି ଆଶ୍ଚର୍ଯ୍ୟ କରିପାରିବେ। କିନ୍ତୁ ସାଥୀ ଖେଳାଳିମାନେ କେବଳ ତାଙ୍କ ଯତ୍ନ ନେବା ଦରକାର। ତାଙ୍କ ଉପରେ ଦଳ ତଥା ଦଳୀୟ ସାଥୀମାନେ ବିଶ୍ବାସ ଓ ଆସ୍ଥା ରଖିପାରିଲେ ତାଙ୍କଠୁ ଖୁବ୍ ଶୀଘ୍ର ଦମ୍ଦାର ପ୍ରଦର୍ଶନ ଦେଖିବାକୁ ପାଇବେ ବୋଲି ଷ୍ଟାର୍ ସ୍ପୋର୍ଟସ୍ର ଚଳିତ ସପ୍ତାହ ଧାରାବାହିକ ‘ଫଲୋ ଦି ବ୍ଲୁଜ୍’ ଅଧ୍ୟାୟରେ କହିଛନ୍ତି ରାଇନା।
ରାଇନାଙ୍କ କହିବା କଥା ହେଲା, ମୁଁ ପନ୍ତ୍ଙ୍କ ସହ ଅଭ୍ୟାସ କରି ଆସୁଛି। ସେ ବଲ୍କୁ ଖୁବ୍ ଭଲ ଭାବେ ପ୍ରହାର କରୁଛନ୍ତି। ଏହାପରେ ସାମିଙ୍କ ସହ ମୋର ଗୋଟିଏ ନେଟ୍ ସେସନ୍ ହୋଇଥିଲା। ପ୍ରାୟ ସବୁ ବୋଲର ଏଠାକୁ ଆସୁଛନ୍ତି ଏବଂ ଅଭ୍ୟାସ କରୁଛନ୍ତି। ପୀୟୂଷ ଚାୱାଲା ମଧ୍ୟ ଆସୁଛନ୍ତି। ସେ ମଧ୍ୟ ବଢ଼ିଆ ବୋଲିଂ କରୁଛନ୍ତି। ମୁଁ ଖେଳାଳିମାନଙ୍କୁ ବହୁତ କିଛି ପରାମର୍ଶ ଦେଇଆସୁଛି। ସବୁକିଛି ଯୋଜନା ମୁତାବକ ଚାଲିଛି। ଦୀପକ ଚହର ଖେଳୁଛନ୍ତି ଏବଂ ମହେନ୍ଦ୍ର ସିଂହ ଧୋନି ମଧ୍ୟ ରାଞ୍ଚିରେ କଠୋର ପ୍ରସ୍ତୁତି ଚଳାଇଛନ୍ତି। ବିଶେଷକରି କ୍ରିକେଟ୍ ପରି ଖେଳ ମୁଖ୍ୟତଃ ଫିଟ୍ନେସ୍ ଏବଂ ଅଙ୍ଗୀକାରବଦ୍ଧତା ଆବଶ୍ୟକ କରୁଥିବାରୁ ସମସ୍ତେ ତାହା ହିଁ କରୁଛନ୍ତି ବୋଲି କହିଛନ୍ତି ରାଇନା। ବିଶେଷକରି ପନ୍ତ୍ଙ୍କ ସଂପର୍କରେ ରାଇନା ଅନେକ ସକାରାତ୍ମକ ମତ ରଖିଛନ୍ତି। ମୁଁ ଭାବୁଛି ପନ୍ତ୍ ଜଣେ ଚମତ୍କାର ଖେଳାଳି। ସେ ଦେଶ ପାଇଁ ଏବଂ ଆଇପିଏଲ୍ ଓ ଘରୋଇ କ୍ରିକେଟ୍ରେ ଯଥେଷ୍ଟ ରନ୍ ସଂଗ୍ରହ କରିଛନ୍ତି। ସେ ଦୁଇଟି ଟେଷ୍ଟ୍ ଶତକ ଜମାଇଛନ୍ତି। ପୁଣି ସେ ବାସ୍ତବରେ ଟ୍ବେଣ୍ଟି-୨୦ରେ ଖୁବ୍ ବଢ଼ିଆ ଖେଳନ୍ତି। ସେଥିପାଇଁ ମୁଁ ଭାବୁଛି ପନ୍ତ୍ ଜଣେ ବିସ୍ଫୋରକ ବ୍ୟାଟସମ୍ୟାନ୍। ତାଙ୍କର ଉଜ୍ବଳ ଭବିଷ୍ୟତ ରହିଛି। କେବଳ ଦଳୀୟ ସାଥୀଙ୍କ କିଛି ଯତ୍ନ ସେ ଆବଶ୍ୟକ କରୁଛନ୍ତି। ଆଉ ତାହା ପାଇଗଲେ ତୁମେ ତାଙ୍କଠୁ ଖୁବ୍ ଶୀଘ୍ର ଦମ୍ଦାର ପ୍ରଦର୍ଶନ ଦେଖିବାକୁ ପାଇବ ବୋଲି ରାଇନା କହିଛନ୍ତି।
ଶେଷରେ ୟୁଏଇରେ ହେବାକୁ ଯାଉଥିବା ଆଇପିଏଲ୍-୧୩ ପାଇଁ ପ୍ରସ୍ତୁତି ଯୋଜନା ସଂପର୍କରେ ପଚାରାଯିବାରୁ ରାଇନା କହିଥିଲେ ଆମେ ଏକ ଶିବିର ଆୟୋଜନ କରିବାକୁ ଯାଉଛୁ। ସେଠାରେ ବହୁ କିଛି ଯୋଜନା କରିବୁ। ଆମେ ମୁଖ୍ୟତଃ ୧୮-୨୦ ଦିନ ପୂର୍ବରୁ ୟୁଏଇ ଯିବୁ ବୋଲି ଭାବୁଛୁ। ଏଠାରେ ଆମେ ପାଖାପାଖି ୫ ମାସ ଧରି ଲକ୍ଡାଉନ୍ରେ ରହି ବିରକ୍ତ ହୋଇପଡ଼ିଲୁଣି। ପୁଣି ଆଇପିଏଲ୍ ଆସିଗଲାଣି ମାନେ ଆଗୁଆ ସେଠାକୁ ଯିବା ଠିକ୍ ହେବ ବୋଲି ରାଇନା କହିଥିଲେ।
from ଖେଳ – Sambad https://ift.tt/3gWQtWM
0 Comments