
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ରେ ଖେଳିବା ଲାଗି ଶେଷ ଦୁଇ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ରବିବାର ୟୁଏଇ ପହଞ୍ଚିଛନ୍ତି। ମୁମ୍ବାଇରେ ଉଭୟ ଫ୍ରାଞ୍ଚାଇଜ୍ର ଭାରତୀୟ ଖେଳାଳିମାନେ ଏକାଠି ହେବା ପରେ ବିମାନ ଧରିଥିଲେ। ଦିନକ ପୂର୍ବରୁ ସେମାନଙ୍କ କୋଭିଡ୍-୧୯ ଟେଷ୍ଟ୍ କରାଯାଇଥିଲା ଏବଂ ନେଭେଟିଭ୍ ଆସିବା ପରେ ଖେଳାଳିଙ୍କୁ ବିମାନ ଯାତ୍ରାର ଅନୁମତି ପ୍ରଦାନ କରାଯାଇଥିଲା। ଉଭୟ ଫ୍ରାଞ୍ଚାଇଜ୍ର ସମ୍ପୂର୍ଣ୍ଣ ଖେଳାଳି ଓ ପ୍ରଶିକ୍ଷକ ଯାତ୍ରା କରିଥିବା କୁହାଯାଇଛି। ଏଥି ସହ ସମସ୍ତ ୮ ଦଳ ୟୁଏଇ ଗସ୍ତ କରିସାରିଛନ୍ତି। ପୂର୍ବରୁ ଶୁକ୍ରବାର ଏବଂ ଶନିବାର ଦୁଇଟି ଦଫାରେ ୬ ଦଳ ଗସ୍ତ କରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର୍ କିଙ୍ଗସ, ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର, କୋଲକାତା ନାଇଟ୍ ରାଇଡର୍ସ, ରାଜସ୍ଥାନ ରୟାଲ୍ସ ଏବଂ କିଙ୍ଗ୍ସ ଇଲେଭେନ ପଞ୍ଜାବ ୟୁଏଇରେ ପହଞ୍ଚି ସାରିଛନ୍ତି। କିଛି ଦଳ ଦୁବାଇରେ ଏବଂ ଅନ୍ୟ କିଛି ଆବୁଧାବିରେ ଅବସ୍ଥାନ କରୁଛନ୍ତି। ବିସିସିଆଇର ଏସ୍ଓପି ଅନୁସାରେ ସମସ୍ତ ଖେଳାଳି ୭ ଦିନିକିଆ ସଂଗରୋଧରେ ରହିବା ପରେ ୩ଟି ଆରଟିପିସିଆର୍ ଟେଷ୍ଟ୍ (ପ୍ରଥମ, ତୃତୀୟ ଏବଂ ଷଷ୍ଠ ଦିବସ)ରେ ନେଗେଟିଭ୍ ଆସିଲେ ଜୈବ ସୁରକ୍ଷା ବଳୟ ମଧ୍ୟରେ ଅଭ୍ୟାସ ଆରମ୍ଭ କରିବେ। ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇର ୩ ସହର ଦୁବାଇ, ସାରଜା, ଆବୁଧାବିରେ ଏହି ୫୩ ଦିନିଆ ପ୍ରତିଯୋଗିତା ଅନୁଷ୍ଠିତ ହେବ। ୬୦ ମ୍ୟାଚ୍ ବିଶିଷ୍ଟ ଆଇପିଏଲ୍-୧୩ର ଖେଳସୂଚୀ ମଙ୍ଗଳବାର ପ୍ରକାଶିତ ହେବାର ସମ୍ଭାବନା ରହିଛି।
ହୋଟେଲ ରୁମ୍ରେ ଅଭ୍ୟାସ ଆରମ୍ଭ କଲେ କୋହଲି
ଦୁବାଇ: କରୋନା ସଙ୍କଟ ପାଇଁ ଦୀର୍ଘ ଦିନ ପର୍ଯ୍ୟନ୍ତ କ୍ରିକେଟ୍ରୁ ଦୂରେଇ ରହିବାକୁ ବାଧ୍ୟ ହୋଇଥିବା ଭାରତ ତଥା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଆଇପିଏଲ୍ ଦଳର ଅଧିନାୟକ ବିରାଟ କୋହଲି ପଡ଼ିଆକୁ ଓହ୍ଲାଇବାକୁ ବ୍ୟଗ୍ର। ହେଲେ ଆଇପିଏଲ୍-୧୩ ପାଇଁ ଦୁବାଇ ପହଞ୍ଚିବା ପରେ ପ୍ରଥମ ସପ୍ତାହ ତାଙ୍କୁ ବାଧ୍ୟତାମୂଳକ ସଙ୍ଗରୋଧରେ ରହିବାକୁ ହେବ। କୋହଲି କିନ୍ତୁ ଖାଲି ବସିବା ଲୋକ ନୁହନ୍ତି। ଏଣୁ ସଂଗରୋଧର ପ୍ରଥମ ଦିନରେ ହିଁ ସେ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି। କୋହଲି ନିଜ ହୋଟେଲ ରୁମ୍ରେ ବିଭିନ୍ନ ଶାରୀରିକ ବ୍ୟାୟାମ କରୁଥିବାର ଫଟୋ ଆର୍ସିବି ରବିବାର ପ୍ରକାଶ କରିଛି। ତା’ ସହ ‘କ୍ୟାପଟେନ୍ କୋହଲି କେବେ ଛୁଟିରେ ଯାଆନ୍ତିନାହିଁ’ ବୋଲି ଲେଖିଛି। ଯାହାକୁ କୋହଲି ଓ ଆର୍ସିବି ପ୍ରଶଂସକ ବେଶ୍ ପସନ୍ଦ କରୁଛନ୍ତି।
ଜନ୍ଙ୍କ ପାଇଁ ବିଜ୍ନେସ୍ କ୍ଲାସ୍ ସିଟ୍ ଛାଡ଼ିଦେଲେ ଧୋନି
ଚେନ୍ନାଇ: କ୍ରିକେଟ୍ ପଡିଆରେ ଅନେକ ମହନୀୟ ଉଦାହରଣ ଛାଡ଼ିଥିବା ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ ଅବସର ପରେ ବି ଚର୍ଚାରେ ରହିଛନ୍ତି। ବିଶେଷ କରି ନିଜ ମଣିଷ ପଣିଆ ଏବଂ ମହାନ ଗୁଣ ପାଇଁ ପ୍ରଶଂସିତ ହେଉଛନ୍ତି। ଆଇପିଏଲ୍ ଖେଳିବା ପାଇଁ ଶୁକ୍ରବାର ଚେନ୍ନାଇ ସୁପର୍ କିଙ୍ଗ୍ସ ଦଳ ସହ ୟୁଏଇ ଯାତ୍ରା ବେଳେ ଏହାର ଆଉ ଏକ ଉଦାହରଣ ବି ଦେଖାଇଛନ୍ତି ମାହି। ଚେନ୍ନାଇରୁ ଦୁବାଇ ଯାତ୍ରା କରିବା ବେଳେ ବିମାନରେ ନିଜ ପାଇଁ ଉଦ୍ଧିଷ୍ଟ ବିଜିନେସ୍ କ୍ଲାସ ସିଟ୍କୁ ସେ ଅପେକ୍ଷାକୃତ ବୟସ୍କ ସିଏସ୍କେର ନିର୍ଦେଶକ କେ ଜର୍ଜ ଜନଙ୍କୁ ସମର୍ପି ଦେଇଥିଲେ। ନିଜେ ଇକୋନୋମି କ୍ଲାସ୍ରେ ଦୁବାଇ ଯାତ୍ରା କରିଥିଲେ। ଇକୋନୋମି କ୍ଲାସ୍ ସିଟ୍ରେ ବସି ଉପ ଅଧିନାୟକ ସୁରେଶ ରାଇନା ଓ ଅନ୍ୟ ସାଥୀ ଖେଳାଳିଙ୍କ ସହ ଆଲୋଚନା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି କଥାକୁ ନିଜେ ଜନ୍ ମଧ୍ୟ ଟ୍ବିଟ୍ କରି ଜଣାଇଛନ୍ତି। ସେପ୍ଟେମ୍ବର ୧୯ ତାରିଖରୁ ଆଇପିଏଲ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ସିଏସ୍କେ ଦଳ ଦୁବାଇରେ ଅବସ୍ଥାନ କରିବ। ଅଗଷ୍ଟ ୧୫ ତାରିଖରେ ଧୋନି ଏବଂ ରାଇନା ଅବସର ନେଇଥିଲେ ମଧ୍ୟ ଆସନ୍ତା ଆଇପିଏଲ୍ରେ ଖେଳ ଜାରି ରଖିବେ। ପ୍ରାୟ ୧୪ ମାସ ପରେ ଧୋନିଙ୍କୁ କ୍ରିକେଟ୍ ପଡିଆରେ ଦେଖିବାକୁ ମିଳିବ।
from ଖେଳ – Sambad https://ift.tt/2YuISrn
0 Comments