
ମଙ୍କଡିଂ ହେଉଛି ଏକପ୍ରକାର ରନ୍ଆଉଟ୍, ଯେଉଁଠି ନନଷ୍ଟ୍ରାଇକର୍ ଯଦି ବଲ୍ ପଡ଼ିବା ପୂର୍ବରୁ କ୍ରିଜ୍ ବାହାରକୁ ଚାଲିଯାଇଥାଏ, ତାହାଲେ ବୋଲର ପାଖରେ ତାଙ୍କୁ ରନ୍ଆଉଟ୍ କରିବାର ସୁଯୋଗ ଥାଏ। ଏହି ପ୍ରକାର ରନଆଉଟ୍ ଭାରତୀୟ କିଂବଦନ୍ତି ଭିନୁ ମଙ୍କଡଙ୍କ ନାଁରେ ନାମିତ ହୋଇଛି। ଭାରତର ୧୯୪୭ ମସିହା ଅଷ୍ଟ୍ରେଲିଆ ଗସ୍ତରେ ଭିନୁ ମଙ୍କଡ ବିଲ୍ ବ୍ରାଉନ୍ଙ୍କୁ ଏଭଳି ଢଙ୍ଗରେ ଆଉଟ୍ କରି ବିବାଦୀୟ ହୋଇଥିଲେ। ବ୍ରାଉଟ୍ ବଲ୍ ପଡ଼ିବା ପୂର୍ବରୁ କ୍ରିଜ୍ ବାହାରକୁ ଚାଲି ଯାଇଥିବା ଦେଖି ମଙ୍କଡ ତାଙ୍କୁ ରନଆଉଟ୍ କରି ଦେଇଥିଲେ। ସେବେଠାରୁ ଏହା ମଙ୍କଡିଂ ଭାବେ ପରିଚିତ ହୋଇ ଆସୁଛି।
ଦୁବାଇ: ଆଇପିଏଲ୍ର ଗତ ଋତୁରେ କିଙ୍ଗ୍ସ ଏକାଦଶ ପଞ୍ଜାବର ପ୍ରତିନିଧିତ୍ବ କରି ଭାରତୀୟ ଅଫସ୍ପିନର ଆର ଅଶ୍ବିନ ରାଜସ୍ଥାନ ରୟାଲ୍ସ ବ୍ୟାଟର୍ ଜୋସ୍ ବଟଲରଙ୍କୁ ମଙ୍କଡିଂ କରିବା ପରେ ବଡ଼ ବିବାଦ ମୁଣ୍ଡ ଟେକିଥିଲା। ଠିକଣା ସମୟରେ ବଟଲର ଆଉଟ୍ ହେବା ରାଜସ୍ଥାନ ପାଇଁ ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥିଲା ଏବଂ ଏହି ଦଳ ହାରି ଯାଇଥିଲା। ଅନେକ ଅଶ୍ବିନଙ୍କ ସେହି କାର୍ଯ୍ୟକୁ ସମାଲୋଚନା କରିଥିଲା ବେଳେ ତାଙ୍କ ଖେଳ ଭାବନାକୁ ନେଇ ପ୍ରଶ୍ନ ଉଠାଇଥିଲେ। ତେବେ ସେ ସଂପୂର୍ଣ୍ଣ ଭାବେ କ୍ରିକେଟ୍ ନିୟମ ପରିସରରେ ରହି ବଟଲରଙ୍କୁ ଆଉଟ୍ କରିଥିଲେ ବୋଲି ଅଶ୍ବିନଙ୍କ ପ୍ରଶଂସକମାନେ ଦାବି କରିଥିଲେ। ଚଳିତ ବର୍ଷର ଆଇପିଏଲ୍ ପୂର୍ବରୁ ଅଶ୍ବିନ ପୁନର୍ବାର ମଙ୍କଡିଂ କଥା ଉଠାଇ ବିବାଦ ଘେରକୁ ଆସିଛନ୍ତି। କ୍ରିକେଟ୍ର ଏହି ବିବାଦୀୟ ନିୟମ ଉପରେ କୋଲକାତା ନାଇଟ୍ ରାଇଡର୍ସ ଅଧିନାୟକ ଦୀନେଶ କାର୍ତ୍ତିକ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଅଶ୍ବିନ ମଙ୍କଡିଂ ପରିସ୍ଥିତି ସୃଷ୍ଟି ହେଲେ ବୋଲରଙ୍କୁ ଏହାର କ୍ଷତିପୂରଣ ମିଳିବା ଦରକାର ବୋଲି ଦାବି କରିଛନ୍ତି। ଏପରିକି ସେ ନିଜ ତରଫରୁ କେତେକ ବିକଳ୍ପ ବ୍ୟବସ୍ଥାର ପରାମର୍ଶ ମଧ୍ୟ ଦେଇଛନ୍ତି। ଅଶ୍ବିନ ଟ୍ବିଟ୍ କରି କହିଛନ୍ତି ଯେ ବଲ୍ ପଡ଼ିବା ପୂର୍ବରୁ ଯଦି କୌଣସି ନନଷ୍ଟ୍ରାଇକର ବ୍ୟାଟର କ୍ରିଜ୍ ବାହାରକୁ ଚାଲି ଯାଉଛନ୍ତି, ତାହାଲେ ଏଭଳି ପରିସ୍ଥିତିରେ ବୋଲରଙ୍କୁ ଏକ ଫ୍ରି-ବଲ୍ ବୋଲିଂ କରିବାର ସୁଯୋଗ ମିଳୁ। ଏହି ବଲ୍ରେ ଯଦି ବ୍ୟାଟ୍ସମ୍ୟାନ୍ ଆଉଟ୍ ହେଉଛନ୍ତି ତାହାଲେ ତାଙ୍କ ଦଳର ସ୍କୋରରୁ ୫ ରନ୍ କାଟି ଦିଆଯାଉ। ୩୩ ବର୍ଷୀୟ ଅଶ୍ବିନଙ୍କ ଏହି ପରାମର୍ଶ ପରେ ମଙ୍କଡିଂ ପୁଣି ଥରେ ଚର୍ଚାକୁ ଆସିଛି। ଏଥିନେଇ ତର୍କ ବିତର୍କ ବି ଆରମ୍ଭ ହୋଇ ଯାଇଛି। ଗତବର୍ଷର ସେହି ମଙ୍କଡିଂ ଘଟଣା ପାଇଁ ଅଶ୍ବିନ ସମାଲୋଚିତ ହୋଇଥିଲେ ମଧ୍ୟ କାର୍ତ୍ତିକ ତାଙ୍କୁ ପରୋକ୍ଷ ସମର୍ଥନ ଦେଇଥିଲେ। ନିକଟରେ ଦେଇଥିବା ସାକ୍ଷାତକାରରେ ସେ କହିଥିଲେ ଯେ ମଙ୍କଡିଂ ପାଇଁ କେବଳ ବୋଲରଙ୍କୁ ଦୋଷ ଦେଇ ହେବ ନାହିଁ କିମ୍ବା ଖେଳୁଆଡ଼ ମନୋଭାବ କଥା ଉଠାଇ ଏହାକୁ ରୋକି ହେବନି। ଏହା କ୍ରିକେଟ୍ ନିୟମ ଅନ୍ତର୍ଗତ, ଏଣୁ ନିର୍ଦ୍ଦିଷ୍ଟ କେଉଁ ବୋଲରଙ୍କୁ ଏଥିଲାଗି ସମାଲୋଚନା କରିବା ଠିକ୍ କଥା ନୁହେଁ। ଅଶ୍ବିନ ଚଳିତ ବର୍ଷ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରତିନିଧିତ୍ବ କରିବାର ଥିଲା ବେଳେ ଆଉ ମଙ୍କଡିଂ ଆଉଟ୍ ନକରିବାକୁ ଏହି ଦଳର ପ୍ରଶିକ୍ଷକ ତଥା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ତାଙ୍କୁ ତାଗିଦ କରିଛନ୍ତି। ଅଶ୍ବିନ କିନ୍ତୁ ହାର୍ ମାନିବା ପରିବର୍ତ୍ତେ ବିକଳ୍ପ ବ୍ୟବସ୍ଥା ଲାଗି ପରାମର୍ଶ ଦେଇ ଆଇସିସିର ମୁଣ୍ଡବ୍ୟଥା ବଢ଼ାଇଛନ୍ତି।
ବୋଲରଙ୍କୁ ନକାରାତ୍ମକ ଭାବେ ନ ଦେଖିବାକୁ ମଞ୍ଜରେକରଙ୍କ ଆହ୍ବାନ
ମୁମ୍ବାଇ: ମଙ୍କଡିଂ ବିତର୍କରେ ପୂର୍ବତନ ଭାରତୀୟ କ୍ରିକେଟର ତଥା ଭାଷ୍ୟକାର ସଞ୍ଜୟ ମଞ୍ଜରେକର ମଧ୍ୟ ଝାସ ଦେଇଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ଅଧିନାୟକ ଦୀନେଶ କାର୍ତ୍ତିକଙ୍କ ସହ ଏକମତ ହୋଇ ମଙ୍କଡିଂ ପାଇଁ କେବଳ ବୋଲରଙ୍କୁ ନକାରାତ୍ମକ ଭାବେ ନ ଦେଖିବାକୁ ସେ ଆହ୍ବାନ କରିଛନ୍ତି। ସୋମବାର ଟ୍ବିଟ୍ କରି ସେ ଲେଖିଛନ୍ତି ଯେ ମୁଁ ଦୀନେଶ କାର୍ତ୍ତିକଙ୍କ ସହ ୧୦୦ ପ୍ରତିଶତ ଏକମତ। ଆସନ୍ତୁ ଆମେ ବଲ୍ ପଡ଼ିବା ପୂର୍ବରୁ କ୍ରିଜ୍ ଛାଡ଼ୁଥିବା ବ୍ୟାଟ୍ସମ୍ୟାନଙ୍କୁ ନକରାତ୍ମକ ଭାବେ ଦେଖିବା। ଏହା କରି ମଞ୍ଜରେକର ଭାରତୀୟ ଅଫ୍ ସ୍ପିନର ଆର ଅଶ୍ବିନଙ୍କୁ ମଧ୍ୟ ନୈତିକ ସମର୍ଥନ ଦେଇଛନ୍ତି। ମଙ୍କଡିଂ ପରିସ୍ଥିତିରେ ବୋଲରଙ୍କୁ ଏକ ଫ୍ରି-ବଲ୍ ଦେବାକୁ ଅଶ୍ବିନ ଆହ୍ବାନ କରିବା ସହ ଫ୍ରି-ବଲ୍ରେ ବ୍ୟାଟ୍ସମ୍ୟାନ୍ ଆଉଟ୍ ହେଲେ ତାଙ୍କ ଦଳୀୟ ସ୍କୋରରୁ ୫ ରନ୍ କାଟିଦେବାକୁ ପରାମର୍ଶ ଦେଇଥିଲେ। ସେପଟେ ମଙ୍କଡିଂ ଘଟଣା ବଢ଼ିଲେ ବ୍ୟାଟ୍ସମ୍ୟାନ୍ ଅଧିକ ଦାୟିତ୍ବବାନ ହୋଇ ପାରିବେ ବୋଲି କାର୍ତ୍ତିକ ପୁନର୍ବାର କହିଛନ୍ତି। କ୍ରିକେଟ୍ ନିୟମରେ ଏହା ଥିବାରୁ ଏବଂ ଏମସିସି ଦୀର୍ଘଦିନ ହେବ ଏହା ବିରୋଧରେ କୌଣସି ପଦକ୍ଷେପ ନେଉଥିବାରୁ ମଙ୍କଡିଂ କଲେ ଅସୁବିଧା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି।
from ଖେଳ – Sambad https://ift.tt/2YvRZYB
0 Comments