
‘‘ମାହି ଭାଇଙ୍କ ଜର୍ସି ନମ୍ବର ୭, ମୋର ୩ ଏବଂ ଉଭୟଙ୍କ ସଂଖ୍ୟାକୁ ଯୋଡ଼ିଲେ ହେଉଛି ୭୩। ପୁଣି ଶନିବାର ଦେଶ ସ୍ବାଧୀନ ହେବାର ୭୩ ବର୍ଷ ପୂରିଯାଉଥିଲା। ତେଣୁ ଏଭଳି ଏକ ସଂଖ୍ୟାର ସଂଯୋଗ ଦୃଷ୍ଟିରୁ ଅବସର ଘୋଷଣା ପାଇଁ ଅଗଷ୍ଟ ୧୫ ତାରିଖକୁ ହିଁ ସର୍ବୋକୃଷ୍ଟ ଦିବସ ଭାବେ ବିଚାର କଲୁ’’
ନୂଆଦିଲ୍ଲୀ: ସୁରେଶ ରାଇନା ଏବଂ ତାଙ୍କ ମାର୍ଗଦର୍ଶକ ମହେନ୍ଦ୍ର ସିଂହ ଧୋନି ଗତ ଶନିବାର (ଅଗଷ୍ଟ ୧୫ ତାରିଖ) ପବିତ୍ର ସ୍ବାଧୀନତା ଦିବସ ଅବସରରେ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ପ୍ରଥମେ ଧୋନି ତାଙ୍କ ଦୁଇ ଧାଡ଼ିଆ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ ଜରିଆରେ ଦେଶବାସୀଙ୍କୁ ହତ୍ବାକ୍ କରିଦେବା ପରେ ରାଇନା ତାଙ୍କ (ଧୋନି) ସହ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ଦଳୀୟ ସାଥୀଙ୍କ ସହ ବସିଥିବାର ଏକ ଫଟୋ ପୋଷ୍ଟ କରି ”ମୁଁ ତୁମ ସହ ଏହି ଯାତ୍ରାରେ ଯୋଗଦେବାକୁ ବାଛିଲି” ବୋଲି କ୍ୟାପ୍ସନ୍ ଲେଖିଥିଲେ। କିନ୍ତୁ ଏହା କ’ଣ ଏକ ସ୍ବତଃପ୍ରବୃତ୍ତ ନିଷ୍ପତ୍ତି ଥିଲା କି? ଜଣକୁ ଅନୁସରଣ କରି ବଡ଼ ଭାଇଙ୍କ ପଥଗାମୀ ହେଲେ କି? କିମ୍ବା ପୂର୍ବରୁ ଉଭୟ ରାଇନା ଓ ଧୋନି ସେମାନଙ୍କ ଅବସର ନେଇ ଆଲୋଚନା କରିଥିଲେ କି? ଏଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଗଲେ। ହେଲେ ରାଇନା ଏସବୁ ପ୍ରଶ୍ନର ଉତ୍ତର ଖୋଲିଦେଇଛନ୍ତି।
ଗତ ଶୁକ୍ରବାର ଦିନ ଆଇପିଏଲ୍ ଶିବିରରେ ଯୋଗଦେବାକୁ ଚେନ୍ନାଇ ପହଞ୍ଚିବା ପୂର୍ବରୁ ହିଁ ଆମେ ଉଭୟ ଅବସର ନିଷ୍ପତ୍ତି ନେଇସାରିଥିଲୁ ବୋଲି ‘ଦୈନିକ ଜାଗରଣ’ ନିକଟରେ ଖୁଲାସା କରିଛନ୍ତି ରାଇନା। ମୁଁ ଜାଣିଥିଲି ଯେ ଧୋନି ଚେନ୍ନାଇ ପହଞ୍ଚିବା ମାତ୍ରେ ଅବସର ଘୋଷଣା କରିଦେଇପାରନ୍ତି। ସେଥିପାଇଁ ମୁଁ ମଧ୍ୟ ପ୍ରସ୍ତୁତ ହୋଇଯାଇଥିଲି ବୋଲି କହିଛନ୍ତି ରାଇନା। ଆମେ ଅଗଷ୍ଟ ୧୫ରେ ଅବସର ଘୋଷଣା କରିବାକୁ ମାନସିକ ଭାବେ ସ୍ଥିର କଲୁ। ମାହି ଭାଇଙ୍କ ଜର୍ସି ନମ୍ବର ୭ ଏବଂ ମୋର ୩ ଏବଂ ଉଭୟଙ୍କ ସଂଖ୍ୟାକୁ ଯୋଡ଼ିଲେ ହେଉଛି ୭୩। ପୁଣି ଶନିବାର ଆମ ଦେଶ ସ୍ବାଧୀନ ହେବାର ୭୩ ବର୍ଷ ପୂରିଯାଉଥିଲା। ତେଣୁ ଏଭଳି ଏକ ସଂଖ୍ୟାର ସଂଯୋଗ ଦୃଷ୍ଟିରୁ ଅବସର ଘୋଷଣା ପାଇଁ ଅଗଷ୍ଟ ୧୫ ତାରିଖକୁ ହିଁ ସର୍ବୋକୃଷ୍ଟ ଦିବସ ଭାବେ ବିଚାରକଲୁ ବୋଲି ସ୍ପଷ୍ଟ କରିଛନ୍ତି ରାଇନା। ଆଉ ସେହି ସଂଧ୍ୟାରେ ସବୁକିଛି ଯୋଜନା ମୁତାବକ ଚାଲିଲା। ଚେନ୍ନାଇ ସୁପର କିଙ୍ଗ୍ସର ଟ୍ବିଟର ହ୍ୟାଣ୍ଡେଲ ଏକ ଭିଡିଓ ପୋଷ୍ଟ କରିଥିଲା। ସେଥିରେ ଉଭୟ ଖେଳାଳି ସେମାନଙ୍କ ଅବସର ଘୋଷଣା କରୁଥିଲେ ଏବଂ ଭାବପ୍ରବଣ ହୋଇଯାଇଥିବା ରାଇନା ସାଧୀ ଧୋନିଙ୍କୁ କୋଳେଇବାର ଦେଖାଯାଇଥିଲା। ସେହିଭଳି ଭାବପ୍ରବଣତା ମଧ୍ୟରେ ଅଭ୍ୟାସ ସେସନ ପରେ ପରେ ଦୁହେଁ ମଧ୍ୟ ଦଳୀୟ ବସ୍କୁ ଚଢ଼ିଥିଲେ। ଆମେ ଆମର ଅବସର ଘୋଷଣା କରିବା ପରେ ଦୁହେଁ ଖୁବ୍ କାନ୍ଦିଥିଲୁ। ମୁଁ, ପୀୟୂଷ ଚାୱଲା, ଅମ୍ବାତି ରାୟୁଡୁ, କେଦାର ଯାଦବ ଏବଂ କନ ଶର୍ମା ଏହାପରେ ଏକାଠି ବସି ଆମମାନଙ୍କ କ୍ୟାରିୟର ଓ ସଂପର୍କକୁ ନେଇ ଆଲୋଚନା କରିଥିଲୁ। ଶେଷରେ ରାତ୍ରିରେ ପାର୍ଟି କରିଥିଲୁ ବୋଲି ରାଇନା କହିଛନ୍ତି।
ଧୋନି ‘ଥାଲା’, ରାଇନା ‘ଚିନ୍ନା ଥାଲା’
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)ର ଉପଅଧିନାୟକ ହେଲେ ସୁରେଶ ରାଇନା। ଆଇପିଏଲ୍ ବେଳେ ଚେନ୍ନାଇରେ ପ୍ରଶଂସକଙ୍କଠାରୁ ପାଇଥିବା ଭଲପାଇବା ଓ ସମର୍ଥନ ତାଙ୍କ ପାଇଁ ଆଶୀର୍ବାଦ ବୋଲି କହିଛନ୍ତି ରାଇନା। ଏଭଳି ଭଲପାଇବା ଭେଟିଦେଇଥିବା ଚେନ୍ନାଇ ପ୍ରଶଂସକମାନେ ମଧ୍ୟ ତାଙ୍କୁ ଏବଂ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ସେମାନଙ୍କ ମନ ପସନ୍ଦର ଦୁଇଟି ଶ୍ରଦ୍ଧାନାମ ଦେଇଥିବା ହୁଏତ ଅଧିକାଂଶ ଜାଣିନଥିବେ। ସିଏସ୍କେ ପ୍ରଂଶସକମାନେ ଆଇପିଏଲ୍ରେ ମୋତେ ‘ଚିନ୍ନା ଥାଲା’ ଏବଂ ଧୋନିଙ୍କୁ ‘ଥାଲା’ ନାମରେ ନାମିତ କରିଛନ୍ତି। ଯାହାକୁ କି ଅବଶିଷ୍ଟ ଜୀବନକାଳରେ ମନେ ରଖିବି ବୋଲି କହିଛନ୍ତି ସଦ୍ୟ ଅବସର ଘୋଷଣା କରିଥିବା ରାଇନା। ଅବଶ୍ୟ ଏହି ଦୁଇଟି ଶ୍ରଦ୍ଧା ନାମରେ ଖୁବ୍ ଭାବପ୍ରବଣତା ଭରିରହିଛି। ସିଏସ୍କେ ୩ ଥର ଆଇପିଏଲ୍ ବିଜେତା ହୋଇଥିବାରୁ ‘ଥାଲା’ ଓ ‘ଚିନ୍ନା ଥାଲା’ ଶବ୍ଦର ମହତ୍ବ ମଧ୍ୟ ବଢ଼ିଯାଇଥିଲା। ଏପରିକି ଏହି ଦୁଇଟି ନାମ ‘ଥାଲା’ ଓ ‘ଚିନ୍ନା ଥାଲା’କୁ ଅଧିକାଂଶ ପ୍ରଶଂସକ ୧୯୭୫ରେ ବିଗ୍ ବି ଅମିତାଭ ବଚ୍ଚନ ଏବଂ ଧର୍ମେନ୍ଦ୍ରଙ୍କ ଅଭିନୀତ ବଲିଉଡ୍ ବ୍ଲକ୍ବଷ୍ଟର ଚଳଚିତ୍ର ‘ସୋଲେ’ର ଜୟ ଓ ବୀରୁ ଚରିତ୍ର ସହ ତୁଳନା କରୁଥିଲେ ବୋଲି ‘କ୍ରିକ୍ବଜ୍’ ପାଇଁ ଲୋକପ୍ରିୟ କ୍ରୀଡ଼ା ଭାଷ୍ୟକାର ହର୍ଷ ଭୋଗ୍ଲେଙ୍କୁ କହିଛନ୍ତି ରାଇନା। ଏହା ହିଁ ପ୍ରକୃତ ଭଲପାଇବା ଏବଂ ଆଶୀର୍ବାଦ। ଏହାକୁ ନେଇ ତୁମେ ଅବଶିଷ୍ଟ ଜୀବନ ଖୁସୀରେ ବିତାଇପାରିବ। ଆମେ ଯେତେବେଳେ ଦକ୍ଷିଣକୁ ଯାଉ, ଆମର ଯଥେଷ୍ଟ ଦାୟିତ୍ବ ଆସିଯାଇଥାଏ। କିନ୍ତୁ ସେମାନେ ଆମ କ୍ରିକେଟ୍କୁ ଖୁବ୍ ଉପଭୋଗ କରନ୍ତି। ଏହାହିଁ ପ୍ରଶଂସକଙ୍କ ଆମ ପ୍ରତି ଭଲପାଇବା। ସେମାନେ ବାସ୍ତବରେ ଆମକୁ ଭଲ ଆତିଥ୍ୟ ଦିଅନ୍ତି, ସେମାନେ ମଧ୍ୟ ଆମକୁ ନିଜର ଭାବନା ପ୍ରକାଶ କରିବାର ସ୍ବାଧୀନତା ଦେଇଥା’ନ୍ତି ବୋଲି ରାଇନା କହିଛନ୍ତି।
ଧୋନି ଜଣେ ଲଢ଼ୁଆ ପ୍ରବୃତ୍ତିର ଖେଳାଳି। ଏହି ବିଶ୍ବବିଜେତା ଅଧିନାୟକ ମଧ୍ୟ ୱେଷ୍ଟଇଣ୍ଡିଜ୍ରେ ୨୦୦୭ ବିଶ୍ବକପ୍ରେ ଭାରତର ବିପର୍ଯ୍ୟୟରୁ ଯଥେଷ୍ଟ ଶିକ୍ଷା ପାଇଥିଲେ ବୋଲି ରାଇନା କହିଛନ୍ତି। ଧୋନି ପ୍ରକୃତରେ ଖେଳକୁ ଭଲ ଭାବେ ପଢ଼ିପାରନ୍ତି। ସେ କିପରି ଦଳକୁ ନେତୃତ୍ବ ଦେଉଥିଲେ ଆମେ ତାହା ବର୍ଷ ବର୍ଷ ଧରି ଦେଖିଆସିଛୁ। ଏପରିକି କଷ୍ଟକର ଗସ୍ତସବୁକୁ ମଧ୍ୟ କିପରି ଚାପମୁକ୍ତ ଭାବେ ପରିଚାଳନା କରୁଥିଲେ ତାହା ଅଙ୍ଗେ ନିଭାଇଛୁ ବୋଲି କହିଛନ୍ତି ରାଇନା।
from ଖେଳ – Sambad https://ift.tt/3aDdkV4
0 Comments