
ଜୋହାନ୍ସବର୍ଗ: କ୍ରିକେଟ୍ ଦକ୍ଷିଣ ଆଫ୍ରିକା ଏବେ ଏକ ଗମ୍ଭୀର ସଙ୍କଟ ଦେଇ ଗତି କରୁଛି। କୋଭିଡ୍ ମହାମାରୀର କୋପ ସାଙ୍ଗକୁ ବର୍ଣ୍ଣବୈଷମ୍ୟ ବିବାଦ କାରଣରୁ ଉତ୍ତେଜକ ପିରସ୍ଥିତି ସୃଷ୍ଟି ହୋଇଛି। ସବୁଠାରୁ ବଡ଼ ଟାର୍ଗେଟରେ ଅଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ତଥା ବର୍ତମାନର କ୍ରିକେଟ୍ ଦକ୍ଷିଣ ଆଫ୍ରିକା ନିର୍ଦେଶକ ଗ୍ରେମ୍ ସ୍ମିଥ୍। ତାଙ୍କୁ ଗାଳିଗୁଲଜଠାରୁ ଆରମ୍ଭ କରି ହତ୍ୟା ଧମକ ବି ମିଳିଛି। ବ୍ଲାକ ଲାଇଭ୍ ମ୍ୟାଟର୍ସ (ବିଏଲ୍ଏମ୍)କୁ ସମର୍ଥନ କରିବା ପରେ ସ୍ମିଥ୍ଙ୍କୁ ଏଭଳି ଧମକ ମିଳିଛି। ପୂର୍ବରୁ ସ୍ମିଥ୍ଙ୍କ ଅଧିନାୟକତ୍ବ ବେଳର ବହୁ ଖେଳାଳି ବର୍ଣ୍ଣବୈଷମ୍ୟ ପ୍ରସଙ୍ଗରେ ସ୍ବର ଉତ୍ତୋଳନ କରି ସ୍ମିଥ୍ଙ୍କୁ ଦୋଷ ଦେଇଥିଲେ। ୪ ଜଣ ଶ୍ବେତାଙ୍ଗ ଖେଳାଳି ବିଏଲ୍ଏମକୁ ବି ବିରୋଧ କରି ଖୋଲାଖୋଲି ମନ୍ତବ୍ୟ ଦେଇଥିଲେ। ଏହି ଘଟଣାଟି କିନ୍ତୁ ଜୁଲାଇ ମାସରେ ଘଟିଥିଲା। ମଙ୍ଗଳବାର କିନ୍ତୁ (ଅଗଷ୍ଟ ୧୮) ଅନୁଷ୍ଠିତ ୩ଟିସି ମ୍ୟାଚ୍ ବେଳେ ଉଭୟ ଦଳର ୨୪ ଖେଳାଳି, ମ୍ୟାଚ୍ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ, ଭାଷ୍ୟକାର ପ୍ରମୁଖ ଅଣ୍ଠେଇବା ସହ ବିଏଲଏମ୍ ଲୋଗୋ ଥିବା ଆର୍ମବ୍ୟାଣ୍ଡ୍ ପରିଧାନ କରିଥିଲେ। ଗ୍ରେମ୍ ସ୍ମିଥ୍ ଓ ମାଖୟା ଏନଟିନିଙ୍କ ସହ ଅନ୍ୟ ବହୁ କର୍ମକର୍ତା ସେଠାରେ ଉପସ୍ଥିତ ଥିଲେ। ଏହା ପରେ ପରିସ୍ଥିତି ଅଧିକ ଉଗ୍ର ହୋଇଛି।
ବିଏଲ୍ଏମ୍ ଅଭିଯାନକୁ ସ୍ମିଥ୍ ଦୃଢ଼ଭାବେ ସମର୍ଥନ କରୁଥିବାରୁ ଏହାକୁ ନେଇ ସୃଷ୍ଟି ହୋଇଥିବା ପ୍ରତିକୂଳ ପରିସ୍ଥିତି ଲାଗି ନିରାଶା ଜାହିର କରିଛନ୍ତି। ଦେଶ ସ୍ବାଧୀନତାର ୩ ଦଶନ୍ଧି ପରେ ଏଭଳି ବିଚାର ଓ ବ୍ୟବହାର ବିଡ଼ମ୍ବନାର ବିଷୟ ବୋଲି ସ୍ମିଥ୍ ପ୍ରକାଶ କରିଛନ୍ତି। ଏଥିପାଇଁ ମୁଁ ଖୁବ୍ ବ୍ୟଥିତ ଓ ମର୍ମାହତ, ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଆଗରେ ବହୁ ପ୍ରସଙ୍ଗ ରହିଛି। ଏଭଳି ଅନୁଭବ ହେଉଛି ଯେଭଳି ସରକାର ବର୍ଷ ବର୍ଷ ଧରି କିଛି ବି କରିନାହାନ୍ତି। ଆପଣମାନେ କାଗଜ ଉଠାଇ ଲେଖି ଦେଉଛନ୍ତି, ଅନ୍ଲାଇନ୍ରେ କ୍ଲିକ୍ କରୁଛନ୍ତି। ଅନେକ ନକାରାତ୍ମକ ଓ ବ୍ୟର୍ଥଭାବନା ଲୋକଙ୍କ ମନରେ ଭରି ଦିଆଯାଉଛି, ଯାହାକି ସାଧାରଣ ଜୀବନକୁ ପ୍ରଭାବିତ କରୁଛି। ସେହି ମ୍ୟାଚ୍ (୩ଟିସି) ପରଠାରୁ କଠୋର ସମୟ ଚାଲିଛି ବୋଲି ସ୍ମିଥ୍ ପ୍ରକାଶ କରିଛନ୍ତି।
ଦକ୍ଷିଣ ଆଫ୍ରିକାର ପୂର୍ବତନ ବୋଲର ଲୁଙ୍ଗି ଏନ୍ଗିଡି ବିଏଲ୍ଏମ୍ ଅଭିଯାନକୁ ପ୍ରଶ୍ନ କରିବା ସହ ବର୍ଣ୍ଣବୈଷମ୍ୟ ବିରୋଧୀ ସମର୍ଥନକୁ ପସନ୍ଦ କରନ୍ତି ବୋଲି କହିଥିଲେ। ଏହିଠାରୁ ଝଡ଼ର ସୃଷ୍ଟି ହୋଇଥିଲା। ଗୋଟିଏ ଦିନ ପରେ ପ୍ୟାଟ ସିମକକ୍ସ, ବୋଏଟା ଡିପେନାର, ରୁଡି ଷ୍ଟେନ୍, ବ୍ରାଏନ୍ ମ୍ୟାକମିଲାନ ପ୍ରମୁଖ ଏନଗିଡିଙ୍କ ବିଚାରଧାରାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଫାର୍ମ ହାତ୍ୟାକାରୀଙ୍କ ପ୍ରତି ସମାନ ବିଚାରଧାରା ରଖିବାକୁ ସେମାନେ ଅହ୍ବାନ ଦେଇଥିଲେ। ଏହା ପରେ ଏନଗିଡିଙ୍କୁ ତାବ୍ରାଇଜ୍ ସାସମୀ, ରଶି ଭାନ୍ ଡେର୍ ଡୁସେନ୍, ଫାପ୍ ଡୁ ପ୍ଲେସିସ୍, ହାସିମ୍ ଆମଲା, ଅନରିଚ୍ ନର୍ଜେ, ମାରଜାନ୍ କାପ୍ ଏବଂ ଡ୍ବାନ ପ୍ରିଟୋରିୟସ୍ ପ୍ରମୁଖ ସମର୍ଥନ କରିଥିଲେ। ଏହାକୁ ନେଇ ଦକ୍ଷିଣ ଆଫ୍ରିକା କ୍ରିକେଟରେ ବର୍ଣ୍ଣବୈଷମ୍ୟ ମତବାଦୀଙ୍କ ଗରମାଗରମ ବାକ୍ୟ ବିନିମୟ ଜାରି ରହିଛି। ଏନଗିଡି କିନ୍ତୁ କିଛି ଭୁଲ କହିନଥିବା ସ୍ମିଥ୍ ପ୍ରକାଶ କରିଛନ୍ତି। ତାଙ୍କ ପ୍ରତି ଅନ୍ୟ ଖେଳାଳିଙ୍କ ଆକ୍ରମଣତ୍ମାକ ଭାବନା ଭଲ ନୁହେଁ ବୋଲି ସ୍ମିଥ୍ ପ୍ରକାଶ କରିଛନ୍ତି।
from ଖେଳ – Sambad https://ift.tt/323ljH9
0 Comments