
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଆଶିଷ ନେହେରା ୨୦୧୧ ବିଶ୍ୱକପ୍ ବିଜୟୀ ଦଳ ଏବଂ ଆଇପିଏଲ୍ରେ ଚେନ୍ନାଇ ସୁପର କିଙ୍ଗ୍ସର ସଦସ୍ୟ ଭାବେ ଅବସରପ୍ରାପ୍ତ ମହେନ୍ଦ୍ର ସିଂହ ଧୋନିଙ୍କ ସହ ସମୟ ବିତାଇଥିଲେ। ଧୋନିଙ୍କ ସହ ଡ୍ରେସିଂ ରୁମ୍ରେ ବିତାଇଥିବା କିଛି ଅଭୁଲା ସ୍ମୃତି ବିଷୟରେ ନେହେରା ମଙ୍ଗଳବାର ଏକ ଜାତୀୟ ଗଣମାଧ୍ୟମ ସ୍ତମ୍ବରେ ଉଲ୍ଲେଖ କରିଛନ୍ତି।୨୦୦୪ ପାକିସ୍ତାନ ଗସ୍ତ ପୂର୍ବରୁ ମୁଁ ଧୋନିଙ୍କୁ ପ୍ରଥମେ ଭେଟିଥିଲି। ଏହା ଦଲିପ ଟ୍ରଫି ଫାଇନାଲ୍ ଥିଲା। ମୋର ଖେଳିବା ଲାଗି ଆଗ୍ରହ ନଥିଲା। ହେଲେ ତତ୍କାଳୀନ ଅଧିନାୟକ ସୌରଭ ଗାଙ୍ଗୁଲି ମୋତେ କହିଥିଲେ ‘ଆଶୁ ଫାଇନାଲ୍ ଖେଳ ଏବଂ କେମିତି ଅନୁଭବ କଲ କହିବ’। ଏହି ମ୍ୟାଚ୍ରେ ମୁଁ ପ୍ରଥମ ଥର ଧୋନିଙ୍କୁ ବୋଲିଂ କରିଥିଲି। ସେ କେତେ ରନ୍ କରିଥିଲେ ମୋର ମନେ ନାହିଁ। କିନ୍ତୁ ସେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିପାରିବେ ବୋଲି ମୋର ଅନୁଭବ ହୋଇଥିଲା। ସେତେବେଳେ ମୁଁ ଲଗାତାର ଘଣ୍ଟା ପ୍ରତି ୧୪୦ କିମି ବେଗରେ ବୋଲିଂ କରୁଥିଲି। କିନ୍ତୁ ଧୋନି ମୋର ଏକ ବଲ୍କୁ ଥାର୍ଡମ୍ୟାନ୍ ଅଞ୍ଚଳକୁ ଛକା ମାରି ଦେଇଥିଲେ। ଯାହା ମୋତେ ଆଶ୍ଚାର୍ଯ୍ୟ କରି ଦେଇଥିଲା ବୋଲି ନେହେରା କହିଛନ୍ତି।
ସେ ଜାତୀୟ ଦଳରେ ସ୍ଥାନ ପାଇଲା ବେଳେ ବହୁତ ଶକ୍ତିଶାଳୀ ଥିଲେ। ସେ ବଡିବିଲ୍ଡର ନଥିଲେ ମଧ୍ୟ ନିୟମିତ ବ୍ୟାଡମିଣ୍ଟନ୍ ଓ ଫୁଟ୍ବଲ୍ ଖେଳୁ ଥିବାରୁ ବଳବାନ୍ ଦେଖାଯାଉଥିଲେ। ଭାରତୀୟ ଡ୍ରେସିଂ ରୁମ୍ରେ ୨୦୦୪-୦୫ରେ ପ୍ରଥମେ ତାଙ୍କ ସହ ବିତାଇଥିଲେ। ସେ ପୂରା ଶାନ୍ତ ଓ ନମ୍ର ଥିଲେ ବୋଲି ନେହେରା କହିଛନ୍ତି। ସଚିନ ତେନ୍ଦୁଲକର, ହରଭଜନ ସିଂହ, ଯୁବରାଜ ସିଂହ, ଜ୍ୟାକ୍ (ଜାହିର ଖାନ୍) ଏବଂ ମୁଁ ଭ୍ରମଣ ସମୟରେ ଅଧିକାଂଶ ଦିନ ଏକାଠି ରାତ୍ରୀ ଭୋଜନ କରୁ। ଧୋନି ଆମ ସହିତ ଯୋଗଦେବା କଥା ମୋର ମନେନାହିଁ। ସେ କୌଣସି ବରିଷ୍ଠ କ୍ରିକେଟର୍ଙ୍କ ରୁମ୍କୁ ଯାଆନ୍ତିନାହିଁ। ସେ ଅନ୍ତର୍ଜାତୀୟ ଜୀବନ ଆରମ୍ଭ ବେଳେ ଯେପରି ଥିଲେ ମୁଁ ୨୦୧୭ରେ ଅବସର ନେଲା ବେଳେ ତାଙ୍କ ସ୍ବଭାବ ଠିକ୍ ସେହିପରି ରହିଥିଲା ବୋଲି ନେହେରା କହିଛନ୍ତି। ସେ ସବୁବେଳେ ନିଜ ରୁମ୍ରେ ରହିବାକୁ ଭଲ ପାଆନ୍ତି। ସେ ଏକମାତ୍ର କ୍ରିକେଟର୍ କେବେ କାହାର ରୁମ୍କୁ ଯାଇନାହାନ୍ତି। କିନ୍ତୁ ନିଜ ରୁମ୍କୁ ଆସିବାକୁ କାହାକୁ ବାରଣ କରନ୍ତିନି। ତାଙ୍କ ରୁମ୍ ସମସ୍ତଙ୍କ ପାଇଁ ଖୋଲା ଥାଏ। ହେଲେ ଅଜଥା ଗପସପକୁ ସେ ପସନ୍ଦ କରନ୍ତିନି ବୋଲି ନେହେରା କହିଛନ୍ତି।
ମୁଁ ଭାବୁଛି ଧୋନିଙ୍କ କେହି ବିକଳ୍ପ ମିଳିବେନି। ସମସ୍ତ ବରିଷ୍ଠ ଖେଳାଳିଙ୍କ ପ୍ରତି ତାଙ୍କର ସମ୍ମାନ ଥିଲା। ସେ କେବେ କାହାକୁ ଅପମାନ କରନ୍ତିନି କି କ୍ରୋଧ ଦେଖାନ୍ତିନି। ଏହା ହେଉଛି ତାଙ୍କର ଦ୍ବିତୀୟ ପ୍ରକୃତି। ସେ ଅନ୍ୟମାନଙ୍କୁ ସହଜରେ ପଢ଼ିପାରନ୍ତି। ଏହା ହେଉଛି ତାଙ୍କର ସବୁଠାରୁ ବଡ଼ କଳା। ୨୦୦୯ ଓ ୨୦୧୧ରେ ମୋତେ ସେ ପାୱାରପ୍ଲେରେ ଅଧିକ ଓଭର ବୋଲିଂ ଦେଉଥିଲେ। ମୋ ଉପରେ ପୂରା ଭରସା କରୁଥିଲେ। ଏକ ମ୍ୟାଚ୍ରେ ଦଳ ୩୨୫ ରନ୍ କରିଥିଲା। ଏହି ମ୍ୟାଚ୍ରେ ସେ ମୋତେ କହିଥିଲେ, ‘ଆପଣ ୱିକେଟ୍ ପାଉଛନ୍ତି, ୭୦ ରନ୍ ବ୍ୟୟ କଲେ ମଧ୍ୟ ଚିନ୍ତା କରନ୍ତି। ମୁଁ ତୁମ ସହ ଅଛି’। ସେ ଖେଳାଳିର ସାମର୍ଥ୍ୟ ଅନୁଯାୟୀ ବ୍ୟବହାର କରିଥା’ନ୍ତି କିନ୍ତୁ କେବେ କାହାକୁ ନିରାଶ କରନ୍ତିନି ବୋଲି ନେହେରା କହିଛନ୍ତି। ସେ ଟି-୨୦ କ୍ରିକେଟ୍ରେ ନିଜ ବୋଲରମାନଙ୍କୁ ଭଲରେ ଜାଣିଥିଲେ। ମୋର ଅନ୍ତର୍ଜାତୀୟ କ୍ରିକେଟ୍ ଶେଷ ପର୍ଯ୍ୟାୟରେ ସେ ମୋତେ ପାୱାରପ୍ଲେରେ ତିନି ଓଭର ବୋଲିଂ କରିବାକୁ ଦିଅନ୍ତି ଏବଂ ବାକି ତିନିଟି ଓଭରକୁ ଭିନ୍ନ ଭିନ୍ନ ବୋଲରଙ୍କ ଦ୍ୱାରା କରାଇଥା’ନ୍ତି। ଯଦିବି ମୁଁ ପ୍ରଥମ ଦୁଇ ଓଭରରେ ୧୮ ରନ୍ ଦେଲି। ସେ ମୋତେ କୁହନ୍ତି ‘ବ୍ୟସ୍ତ ହୁଅନି, ତୁମେ ତୃତୀୟ ଓଭର ବୋଲିଂ କରିବ ଏବଂ ଯଦି ୧୨ ଦେଇ ସଫଳତା ପାଇଲ ତେବେ ଠିକ୍’ ବୋଲି ନେହେରା କହିଛନ୍ତି।
from ଖେଳ – Sambad https://ift.tt/31aTv47
0 Comments