
ଭାରତୀୟ ସୀମିତ ଓଭର ଦଳର ଉପଅଧିନାୟକ ଥିବା ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସର ମଙ୍ଗ ଧରିଛନ୍ତି। ପାରମ୍ପରିକ ଭାବେ ମନ୍ଥର ଆରମ୍ଭ କରୁଥିବା ଏହି ଦଳ ପରେ ଶକ୍ତି ଓ ସାମର୍ଥ୍ୟର ପ୍ରମାଣ ଦେଉଥିବାର ଦେଖାଯାଇଛି। ଏଥରର ଉଦ୍ଘାଟନୀ ମୁକାବିଲାରେ ଚେନ୍ନାଇ ବିପକ୍ଷରେ ମୁମ୍ବାଇର ପଲା ଭାରି ରହିବ ବୋଲି ଆକଳନ କରାଯାଉଛି। ବିଶେଷକରି ମୁମ୍ବାଇ ଆଇପିଏଲ୍ରେ ଖୁବ୍ ସନ୍ତୁଳିତ ଦଳ ପାଲଟିଯାଇଛି। ଯଦିଓ ଏଥର ସିଂହଳୀ ଦ୍ରୁତ ବୋଲର ଲସିଥ୍ ମାଲିଙ୍ଗା ଓହରି ଯାଇଛନ୍ତି, ତଥାପି ଭାରତୀୟ ଦ୍ରୁତ ବୋଲର ଯଶ୍ପ୍ରୀତ୍ ବୁମ୍ରା, ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟ୍ରେଣ୍ଟ୍ ବୋଲ୍ଟ, ନାଥନ୍ କୁଲ୍ଟର ନାଇଲ୍ଙ୍କ ସାଙ୍ଗକୁ ଅଲ୍ରାଉଣ୍ଡର ପାଣ୍ଡ୍ୟା ଭ୍ରାତା ହାର୍ଦିକ୍ ଓ କ୍ରୁନାଲଙ୍କୁ ନେଇ ଦଳ ଶକ୍ତିଶାଳୀ ରହିଛି। ପୁଣି ନିଜେ ଅଧିନାୟକ ରୋହିତଙ୍କ ସାଙ୍ଗକୁ ଦକ୍ଷିଣ ଆଫ୍ରିକୀୟ କ୍ବିଣ୍ଟନ ଡି’କକ୍, ଭାରତୀୟ ତାରକା ସୂର୍ଯ୍ୟକୁମାର ଯାଦବ, ଇଶାନ୍ କିଷନ୍, ୱେଷ୍ଟଇଣ୍ଡିଜ୍ ତାରକା କିରଣ ପୋଲାର୍ଡଙ୍କୁ ନେଇ ବ୍ୟାଟିଂକ୍ରମ ବେଶ୍ ସୁଦୃଢ଼। ଡି’କକ୍ଙ୍କ ସହ ରୋହିତ ମଧ୍ୟ ୟୁଏଇ ପରିବେଶରେ ପାଳି ଆରମ୍ଭ କରିବେ ବୋଲି ସଂକେତ ଦେଇଛନ୍ତି। ଅର୍ଥାତ୍ ଜଣେ ଓପନର ଭାବେ ଖେଳିବେ। ତେବେ ଆବଶ୍ୟକତା ହେଲେ ମଧ୍ୟକ୍ରମରେ ଖେଳିବାକୁ ସେ ପଛାଇବେ ନାହିଁ, ବରଂ ସବୁ ବିକଳ୍ପ ଖୋଲା ରଖିବେ ବୋଲି ଏକ ଅନଲାଇନ୍ ସାକ୍ଷାତକାର ଅବସରରେ ରୋହିତ ସ୍ପଷ୍ଟ କରିଦେଇଛନ୍ତି।
ଦଳର ବ୍ୟାଟିଂକ୍ରମରେ ନିଜ ଭୂମିକାକୁ ସ୍ପଷ୍ଟ କରିବାକୁ ଯାଇ ସେ କହିଛନ୍ତି ‘‘ଗତବର୍ଷ ପୂରା ପ୍ରତିଯୋଗିତା ମୁଁ ଓପନର ଭାବେ ଖେଳିଥିଲି। ଏବର୍ଷ ମଧ୍ୟ ସେହି ଭୂମିକାରେ ଅବତୀର୍ଣ୍ଣ ହେବି ବୋଲି ଭାବୁଛି। ହେଲେ ମୁଁ ସବୁ ବିକଳ୍ପ ଖୋଲା ରଖିବି। ଦଳ ଯାହା ଚାହିଁବ, ଖୁସୀର ସହ ତାହା କରିବାକୁ ସବୁବେଳେ ପ୍ରସ୍ତୁତ ରହିବି। ଶୀର୍ଷରେ ଖେଳିବାକୁ ମୁଁ ଉପଯୋଗ କରେ। ବିଗତ କିଛି ବର୍ଷ ହେଲା ମୁଁ ଏହା ହିଁ କରିଆସୁଛି। ସତରେ ମୁଁ ଏହାକୁ ବହୁତ ଉପଯୋଗ କରିଆସୁଛି। ଭାରତୀୟ ଦଳରୁ ଖେଳିଲା ବେଳେ ମଧ୍ୟ ମୋତେ ଦଳୀୟ ଅଧିକାରୀମାନେ କୌଣସି ବିକଳ୍ପ ବନ୍ଦ ନ କରିବାକୁ ପରାମର୍ଶ ଦିଅନ୍ତି। ଏଠାରେ ମଧ୍ୟ ମୁଁ ଠିକ୍ ସେହିକଥା କରିବି’’। ୨୦୧୭, ୧୮ ଋତୁରେ ରୋହିତ ମାତ୍ର ଦୁଇ ଥର ପାଳି ଆରମ୍ଭ କରିଥିଲେ। ହେଲେ ଏହା ତାଙ୍କୁ ଆଶାଜନକ ଫଳ ଦେଇନଥିଲା। ୨୦୧୭ରେ ୨୩.୭୮ ହାରରେ ସେ ମାତ୍ର ୩୩୩ ରନ୍ କରିବାକୁ ସକ୍ଷମ ହୋଇଥିଲେ। ସେହିଭଳି ୨୦୧୮ରେ ୨୩.୮୩ ହାରରେ କେବଳ ୨୮୬ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଗତଋତୁରେ ପାଳି ଆରମ୍ଭ କରି ୨୮.୯୨ ହାରରେ ସେ କିନ୍ତୁ ୪୦୫ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଗତବର୍ଷ ଭଳି ଏବର୍ଷ ମଧ୍ୟ ରୋହିତଙ୍କ ସହ ଦକ୍ଷିଣ ଆଫ୍ରିକୀୟ କ୍ବିଣ୍ଟନ୍ ଡି’ କକ୍ ପାଳି ଆରମ୍ଭ କରିବେ ବୋଲି ପ୍ରଶିକ୍ଷକ ମାହେଲା ଜୟବର୍ଧନେ ମଧ୍ୟ ସୂଚନା ଦେଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ପାଖରେ କ୍ରିସ୍ ଲିନ୍ ଓ ଈଶାନ କିଷନଙ୍କ ରୂପରେ ଆଉ ଦୁଇ ଜଣ ଦକ୍ଷ ଓପନର ମଧ୍ୟ ରହିଛନ୍ତି।
from ଖେଳ – Sambad https://ift.tt/35POMYo
0 Comments