ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବା ପରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସମ୍ଭବତଃ ମନୋରଞ୍ଜନ ଶିଳ୍ପ ଆଡ଼କୁ ଢଳିପାରନ୍ତି। ଗତବର୍ଷ ଏକ ପ୍ରାମାଣିକ ଚିତ୍ରର ପ୍ରଯୋଜନା କରି ସେ ଏହାର ଝଲକ ଦେଖାଇ ସାରିଛନ୍ତି। ଆଗକୁ ଧୋନି ପୌରାଣିକ ସାଇ-ଫାଇ ୱେବସିରିଜ୍‌ର ପ୍ରଯୋଜନା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିଲାଗି ସେ ‘ଧୋନି ଏଣ୍ଟରଟେନମେଣ୍ଟ୍’ ନାମରେ ଏକ କଂପାନି ମଧ୍ୟ ଗଠନ କରିସାରିଛନ୍ତି। ଏହି କଂପାନି ଅଧୀନରେ ଧୋନି ପ୍ରଯୋଜନା କରିଥିବା ପ୍ରଥମ ପ୍ରାମାଣିକ ଚିତ୍ର ଥିଲା ‘ରୋର୍ ଅଫ୍ ଦି ଲାୟନ’। କବୀର ଖାନଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ଏହି ପ୍ରାମାଣିକ ଚିତ୍ରରେ ଦୁଇ ବର୍ଷର ବାସନ୍ଦାଦେଶ ପରେ ଚେନ୍ନାଇ ସୁପରକିଙ୍ଗ୍ସ ଆଇପିଏଲ୍‌କୁ ଫେରିବାର କାହାଣୀକୁ ନିଖୁଣ ଭାବେ ଚିତ୍ରଣ କରାଯାଇଥିଲା। ଆସନ୍ତା ସମୟରେ ‘ଧୋନି ଏଣ୍ଟରଟେନ୍‌ମେଣ୍ଟ’ ଜଣେ ନବାଗତ ଲେଖକଙ୍କ ଲିଖିତ ପୌରାଣିକ କାହାଣୀକୁ ୱେବ ସିରିଜ୍ ରୂପ ଦେବାକୁ ଯାଉଥିବା ଜଣାପଡ଼ିଛି। କଂପାନିର ପରିଚାଳନା ନିର୍ଦ୍ଦେଶିକା ତଥା ଦୁଇ ଥର ବିଶ୍ବବିଜୟୀ ଅଧିନାୟକ ‌‌ଧୋନିଙ୍କ ପତ୍ନୀ ସାକ୍ଷୀ ଧୋନି କହିଛନ୍ତି ଯେ ଏହି ୱେବସିରିଜ୍ ଏକ ‘ରୋମାଞ୍ଚକର ଦୁଃସାହସିକ’ ଅଭିଯାନ ହେବ। ପୁସ୍ତକଟିର ବିଷୟବସ୍ତୁ ପୌରାଣିକ ସାଇ-ଫାଇ ହୋଇଥିଲା ବେଳେ ଏଥିରେ ଜଣେ ଅଘୋରିଙ୍କ ଜୀବନର ଦୁଃସାହସିକ ଅଭିଯାନକୁ ମଜାଦାର ଢଙ୍ଗରେ ପରିବେଷଣ କରାଯିବ। ତାଙ୍କୁ କିଭଳି ଏକ ସାଇ-ଫାଇ ବା ଆଧୁନିକ କାରାଗାରରେ ବନ୍ଦୀ କରି ରଖାଯାଇଛି ଏବଂ ସେ ଏଥିରୁ କିଭଳି ମୁକୁଳୁଛନ୍ତି, ତାହା ଦର୍ଶାଯାଇଛି। ଏଥିରେ ମଧ୍ୟ ଅନ୍ତର୍ଜାତୀୟ ସ୍ତରର ସ୍ପେଶାଲ ଇଫେକ୍ଟ ରହିବ। ଖୁବଶୀଘ୍ର ଏହି ୱେବସିରିଜ୍‌ ଲାଗି କଳାକାର ଏବଂ ବୈଷୟିକ ଅଧିକାରୀଙ୍କୁ ନିଯୁକ୍ତ କରାଯିବ ବୋଲି ସାକ୍ଷୀ ସୂଚନା ଦେଇଛନ୍ତି।



from ଖେଳ – Sambad https://ift.tt/3n8Wm6D