
ନ୍ୟୁୟର୍କ: ପଞ୍ଚମ ମାନ୍ୟତାପ୍ରାପ୍ତ ଜର୍ମାନୀ ତାରକା ଆଲେକ୍ଜାଣ୍ଡର ଭେରଭ ଚଳିତ ବର୍ଷ ଦ୍ବିତୀୟ ଥର ଲାଗି ଗ୍ରାଣ୍ଡ ସ୍ଲାମ୍ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଚଳିତ ୟୁଏସ୍ ଓପନ୍ର ମଙ୍ଗଳବାର ଏକ ସଂଘର୍ଷ ପୂର୍ଣ୍ଣ କ୍ବାର୍ଟର୍ ଫାଇନାଲ୍ରେ ସେ ୧-୬, ୭-୬, ୭-୬, ୬-୩ ସେଟ୍ରେ କ୍ରୋଏସିଆର ବୋର୍ନା କୋରିକଙ୍କୁ ମାତ୍ ଦେଇଥିଲେ। ଆରମ୍ଭରୁ ମନ୍ଥର ଖେଳୁଥିବା ଭେରଭ ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ୨୭ତମ ମାନ୍ୟତାପ୍ରାପ୍ତ କୋରିକଙ୍କୁ ପରାସ୍ତ କରି ୧୯୯୫ ପରେ ପ୍ରଥମ ଜର୍ମାନୀ ଖେଳାଳି ଭାବେ ୟୁଏସ୍ ଓପନ୍ ସେମିଫାଇନାଲ୍ରେ ପହଞ୍ଚିଥିଲେ। ୧୯୯୫ରେ ଶେଷ ଥର ଲାଗି ଜର୍ମାନୀର ବୋରିସ ବେକର ଏହି ପ୍ରତିଯୋଗିତାର ସେମିରେ ପ୍ରବେଶ କରିଥିଲେ। ଅନ୍ୟପକ୍ଷରେ ପ୍ରଥମ ଥର ଲାଗି ଗ୍ରାଣ୍ଡ ସ୍ଲାମ କ୍ବାର୍ଟର ଫାଇନାଲ୍ ଖେଳୁଥିବା କୋରିକ ମାତ୍ର ୨୪ ମିନିଟ୍ରେ ପ୍ରଥମ ସେଟ୍ ଜିତି ନେଇଥିଲେ। ହେଲେ ପରବର୍ତୀ ସେଟ୍ ଗୁଡ଼ିକରେ ଭେରଭ କଡ଼ା ଟକ୍କର ଦେଇଥିଲେ ମଧ୍ୟ ହାରି ଯାଇଥିଲେ। ସେମିଫାଇନାଲ୍ରେ ଭେରଭଙ୍କ ଲଢ଼େଇ ବିଂଶ ମାନ୍ୟତାପ୍ରାପ୍ତ ପାବ୍ଲୋ କ୍ୟାରିନୋ ବୁସ୍ତାଙ୍କ ସହ ହେବ।
ଅନ୍ୟ ଏକ କ୍ବାର୍ଟର ଫାଇନାଲ୍ରେ ସ୍ପେନ୍ର ବୁସ୍ତା ୩-୬, ୭-୬, ୭-୬, ୦-୬, ୬-୩ ସେଟ୍ରେ ଦ୍ବାଦଶ ମାନ୍ୟତାପ୍ରାପ୍ତ କାନାଡ଼ାର ଡେନିସ ସାପୋଭାଲୋଭଙ୍କୁ ପରାସ୍ତ କରିଥିଲେ। ଫଳରେ ୨୯ ବର୍ଷୀୟ ବୁସ୍ତା ଦ୍ବିତୀୟ ଥର ଲାଗି ୟୁଏସ୍ ଓପନ୍ ସେମିଫାଇନାଲ୍ରେ ପ୍ରବେଶ କରିବାର ଗୌରବ ପାଇଥିଲେ। ୨୦୧୭ରେ ଏଠାରେ ସେମିଫାଇନାଲ୍ ଖେଳିଥିବା ବୁସ୍ତା ଏହି ମ୍ୟାଚ୍ ଜିତିବା ଲାଗି ୪ ଘଣ୍ଟା ସମୟ ନେଇଥିଲେ।
ମହିଳା ସେମିରେ ଓସାକା-ବ୍ରାଡି ଲଢ଼େଇ
ଜପାନର ନାଓମି ଓସାକା ମହିଳା ଏକକ କ୍ବାର୍ଟର୍ ଫାଇନାଲ୍ରେ ସିଧାସଳଖ ୬-୩, ୬-୪ ସେଟ୍ରେ ଆମେରିକାର ସେଲବି ରୋଜର୍ସଙ୍କୁ ପରାସ୍ତ କରି ମଧୁର ପ୍ରତିଶୋଧ ନେଇଛନ୍ତି। ୩ ଥର ପରାଜୟ ପରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଓସାକା ପ୍ରଥମ ଥର ଲାଗି ରୋଜର୍ସଙ୍କ ବିପକ୍ଷରେ ବିଜୟ ପାଇଥିଲେ। ଶେଷ ଥର ଲାଗି ଓସାକା ୨୦୧୭ରେ ରୋଜର୍ସଙ୍କୁ ଭେଟିଥିଲେ। ଏହି ବିଜୟ ସହ ଓସାକା ଦ୍ବିତୀୟ ୟୁଏସ୍ ଓପନ୍ ଟ୍ରଫି ଦିଗରେ ଆଉ ଏକ ପାଦ ବଢ଼ାଇଛନ୍ତି। ଓସାକା ଏହି ମ୍ୟାଚ୍ ବେଳେ ବର୍ଣ୍ଣ ବୈଷମ୍ୟକୁ ବିରୋଧ କରି କଳା ମାସ୍କ ପିନ୍ଧି କୋର୍ଟକୁ ଓହ୍ଲାଇଥିଲେ। ସେମିରେ ତାଙ୍କ ଲଢ଼େଇ ଆମେରିକାର ଜେନିଫର ବ୍ରାଡିଙ୍କ ସହ ହେବ।
ପ୍ରଥମ ଥର ଲାଗି ଗ୍ରାଣ୍ଡ ସ୍ଲାମ୍ ସେମିଫାଇନାଲ୍ରେ ପହଞ୍ଚିଥିବା ବ୍ରାଡି ମଙ୍ଗଳବାର କ୍ବାର୍ଟର ଫାଇନାଲ୍ରେ ସିଧାସଳଖ ୬-୩, ୬-୨ ସେଟ୍ରେ କାଜଖସ୍ତାନର ୟୁଲିଆ ପୁଟିନ୍ତ୍ସେଭାଙ୍କୁ ହରାଇଥିଲେ। ୨୮ ମାନ୍ୟତାପ୍ରାପ୍ତ ବ୍ରାଡି ୟୁଏସ୍ ଓପନ୍ ଖେଳିବା ପୂର୍ବରୁ ଲେକ୍ସିଙ୍ଗଟନ୍ରେ ନିଜର ପ୍ରଥମ ଡବ୍ଲୁଟିଏ ମୁକୁଟ କରାୟତ୍ତ କରିଥିଲେ।
from ଖେଳ – Sambad https://ift.tt/3k2rLVZ
0 Comments