
ଝାରସୁଗୁଡ଼ା: ତିନିଥର ଜାତୀୟ ମହିଳା ଫୁଟ୍ବଲ୍ରେ ପ୍ରତିନିଧିତ୍ବ କରିଥିବା ଏବଂ ଜାତୀୟ ରଗ୍ବିରେ ଅଂଶଗ୍ରହଣ କରିଥିବା ତନୁଜା ବାଗେଙ୍କୁ ବିଳମ୍ବରେ ହେଲେ ମଧ୍ୟ ଏକ ନିଯୁକ୍ତି ମିଳିଛି। ଗତ ଅଗଷ୍ଟ ୨୯ ତାରିଖ ଜାତୀୟ କ୍ରୀଡ଼ା ଦିବସ ଅବସରରେ ‘ସମ୍ବାଦ’ର ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇଥିବା ‘ଜାତୀୟ ମହିଳା ଫୁଟ୍ବଲର୍ ତନୁଜା ବାଗେ ଆଜି ବି ଛେଳି ଚରାଉଛନ୍ତି’ ଶୀର୍ଷକ ଖବର ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଜଣେ ଜାତୀୟ ଖେଳାଳିଙ୍କ ଏଭଳି ଦୁର୍ଦ୍ଦିନ ଓ ଦୁଃଖଦ ଜୀବନ ସଂପର୍କରେ ପଢ଼ିବା ପରେ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର ମଧ୍ୟ ତନୁଜାଙ୍କୁ ସହଯୋଗର ହାତ ବଢ଼ାଇ ଅନେକଥର ଆଲୋଚନା କରିଥିଲେ। ତେବେ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଉଦ୍ୟମ ପରେ ଗୁରୁବାର ବେଦାନ୍ତର ଏକ ସହଯୋଗୀ କମ୍ପାନି ଜେଏମ୍ଡିରେ ସ୍ପୋର୍ଟସ କୋଅର୍ଡିନେଟର୍ ଭାବରେ ତନୁଜାଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ତନୁଜାଙ୍କୁ ବେଦାନ୍ତ ଲିମିଟେଡ୍ର ସିଇଓ ଛବିନାଥ ସିଂହ ଏହି ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଶୀଲ କୁମାର ମିଶ୍ର, ବେଦାନ୍ତର ଚନ୍ଦ୍ରଶେଖର ସାହୁ, ସୁନ୍ଦର ରାଜ୍, ପ୍ରଣୟ ଶତପଥୀ ଏବଂ ସଂଜୀବ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ଅକ୍ଟୋବର ୧ ତାରିଖଠାରୁ ତନୁଜା ଉପରୋକ୍ତ ପଦରେ ମାସିକ ୨୦ ହଜାର ଟଙ୍କାର ବେତନରେ ଚାକିରି କରିବେ ବୋଲି ଜେଏମ୍ଡି ସର୍ଭିସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ କୁହାଯାଇଛି।
from ଖେଳ – Sambad https://ift.tt/2FvXbWs
0 Comments