
ସାରଜା : ଆଜି ଆଇପିଏଲ୍ର ୧୩ ବର୍ଷର ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। ସାରଜାର ଅପେକ୍ଷାକୃତ ଛୋଟ ପଡ଼ିଆରେ ଉଭୟ ଦଳର ବ୍ୟାଟ୍ସମ୍ୟାନ୍ଙ୍କ ଛକା ବର୍ଷା ଓ ରନ୍ ଝଡ଼କୁ ଭରପୂର ଉପଭୋଗ କରିଛନ୍ତି କୋଟି କୋଟି କ୍ରିକେଟପ୍ରେମୀ। ଶେଷରେ ଅବିଶ୍ବାସ୍ୟ ଭାବେ ୨୨୪ ରନ୍ର ବିଜୟଲକ୍ଷ୍ୟର ପିଛା କରି କିଙ୍ଗ୍ସ ଇଲେଭେନ୍ ପଞ୍ଜାବଠାରୁ ମ୍ୟାଚ୍ ଛଡ଼ାଇ ନେଇଛି ରାଜସ୍ଥାନ ରୟାଲ୍ସ। ଏଥିସହିତ ସର୍ବୋଚ୍ଚ ପଶ୍ଚାତଧାବନର ନୂଆ କୀର୍ତ୍ତିମାନ ବି ସୃଷ୍ଟି ହୋଇଛି।
ଆଜିର ମ୍ୟାଚ୍ରେ ଉଭୟ ଦଳ ମୋଟ ୨୯ଟି ଛକା ମାରିଥିଲେ। ସେଥିରୁ ପଞ୍ଜାବର ଖେଳାଳିମାନେ ୧୧ଟି ଛକା ମାରିଥିବାବେଳେ ରାଜସ୍ଥାନ ଖେଳାଳି ୧୮ଟି ଛକା ମାରିଛନ୍ତି। ପ୍ରଥମେ ବ୍ୟାଟିଂ କରି ମୟଙ୍କ ଅଗ୍ରୱାଲଙ୍କ ଧୂଆଁଧାର ଶତକ (୫୦ ବଲ୍ରୁ ୧୦୬, ୭ ଛକା) ଓ ଅଧିନାୟକ କେଏଲ୍ ରାହୁଲଙ୍କ ୬୯ (୫୪ ବଲ୍, ୨ ଛକା) ବଳରେ ୨ ୱିକେଟ୍ରେ ୨୨୩ ରନ୍ କରିଥିଲା। ମାତ୍ର ଏତିକି ରନ୍ ରାଜସ୍ଥାନକୁ ରୋକିବା ଲାଗି ଯଥେଷ୍ଟ ହୋଇ ନ ଥିଲା। ସଞ୍ଜୁ ସାମସନ୍ଙ୍କ ବିସ୍ଫୋରକ ୮୫ ରନ୍(୪୨ ବଲ୍, ୭ ଛକା), ଅଧିନାୟକ ସ୍ମିଥ୍ଙ୍କ ୫୦ ରନ୍ (୨୭ ବଲ୍, ୨ ଛକା) ମାରି ମ୍ୟାଚ୍କୁ ପ୍ରତିଦ୍ବନ୍ଦ୍ବିତା ସ୍ତରକୁ ଆଣିବା ପରେ ଶେଷ ଓଭରଗୁଡ଼ିକରେ ଯୁବ ତାରକା ରାହୁଲ ତିୱାତିଆ ଓ ଅଲ୍ରାଉଣ୍ଡର ଜୋଫ୍ରା ଆର୍ଚର୍ ପଞ୍ଜାବ ବୋଲରଙ୍କୁ ନିର୍ଧୂମ ପ୍ରହାର କରି ସବୁ ଓଲଟପାଲଟ କରି ଦେଇଥିଲେ। ତିୱାତିଆ ଇଣ୍ଡିଜ୍ ଫାଷ୍ଟ୍ ବୋଲର୍ ସେଲଡନ୍ କଟ୍ରେଲ୍ଙ୍କ ଗୋଟିଏ ଓଭରରେ ୫ଟି ଛକା ମାରି ମ୍ୟାଚ୍ରେ ରୋମାଞ୍ଚ ଭରି ଦେଇଥିଲେ। ସେ ମୋଟ ୭ଟି ଛକା ସହ ୩୧ ବଲ୍ରୁ ୫୩ ରନ୍ କରିଥିବାବେଳେ ଆର୍ଚର ୩ଟି ବଲ୍ରୁ ଅପରାଜିତ ୧୩ ରନ୍ କରିବାରୁ ରାଜସ୍ଥାନ ୨ଟି ବଲ୍ ପୂର୍ବରୁ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।
from ଖେଳ – Sambad https://ift.tt/3kTNwIg
0 Comments