ନୂଆଦିଲ୍ଲୀ: ଦୁବାଇରେ ଶନିବାର ଖେଳାଯାଇଥିବା ‌ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ବିପକ୍ଷରେ ବିଜୟ ଲାଗି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ୩୪ ବଲ୍‌ରେ ୮୧ ରନ୍‌ ଆବଶ୍ୟକ ଥିଲା। ଏହି ସମୟରେ ବ୍ୟାଟିଂକୁ ଆସିଥି‌‌ଲେ ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ସେ ମାତ୍ର ୧୦ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହା ପରେ ଲଗାତାର ୱିକେଟ୍‌ ହରାଇ ‌ସିଏସ୍‌କେ ପରାଜିତ ହୋଇଥିଲା। ଏହି ମ୍ୟାଚ୍‌ରେ ଧୋନିଙ୍କୁ ୟୁଜବେନ୍ଦ୍ର ଚହଲ ନିଜ ମସ୍ତିସ୍କ ଲଗାଇ ଆଉଟ୍‌ କରିବାରେ ସଫଳ ହୋଇଥିଲେ। ଚହଲ ଏହି ଚମତ୍କାର ବୋଲିଂରେ ଭାରତୀୟ କିଂବଦନ୍ତି ସଚିନ ତେନ୍ଦୁଲକର ମୁଗ୍ଧ ହୋଇଯାଇଛନ୍ତି। ଧୋନିଙ୍କ ବିପକ୍ଷରେ ଚହଲଙ୍କ ବୋଲିଂକୁ ସେ ବିସ୍ତୃତ ଭାବେ ବର୍ଣ୍ଣନା କରିବା ସହ ପ୍ରଶଂସା କରିଛନ୍ତି। ‌କ୍ରିକେଟ୍‌କୁ ଆସିବା ପୂର୍ବରୁ ଜଣେ ଦକ୍ଷ ଓ ସଫଳ ଚେସ୍ ଖେଳାଳି ‌ହୋଇଥିବାରୁ ଚହଲ ନିଜ ଚାଲ୍‌ରେ ଧୋନିଙ୍କୁ ଚକ୍‌ମା ଦେବାକୁ ସକ୍ଷମ ହେଲେ ବୋଲି ସଚିନ କହିନ୍ତି।

ଚହଲଙ୍କ ପ୍ରଥମ ବଲ୍‌ ସାମ୍ନା କରି ଧୋନି ୧ ରନ୍‌ ନେଇଥିଲେ। ଏହାର ପରବର୍ତ୍ତୀ ବଲ୍‌କୁ ରାୟୁଡ଼ୁ ଖେଳି ୧ ରନ୍‌ ସଂଗ୍ରହ କରି ଧୋନିଙ୍କୁ ‌ଷ୍ଟ୍ରାଇକ୍‌ ଦେଇଥିଲେ। ଚହଲଙ୍କ ତୃତୀୟ ବଲ୍‌କୁ ଧୋନି ‌ଛକା ମାରିଥିଲେ। ଏହା ପର ବଲ୍‌କୁ ଚହଲ ଲାଇନ୍‌ ବଦଳାଇ ଲେଗ୍‌ ଷ୍ଟମ୍ପ୍‌ରେ ପକାଇଥିଲେ। ଏହା ‌ଏଜ୍‌ ନେଇ କ୍ୟାଚ୍‌ ସମ୍ଭାବନା ସୃଷ୍ଟି କରିଥିଲା। ହେଲେ ଧୋନି ବର୍ତ୍ତି ଯାଇଥିଲେ। ଚତୁର୍ଥ ବଲ୍‌ ଚହଲ ଗୁଡ୍‌ ଲେନ୍ଥରେ ପକାଇ ଧୋନିଙ୍କୁ ବିଟ୍‌ କରିଥିଲେ। ତାଙ୍କର ଏଭଳି ବୋଲିଂ ଦେଖି ମୁଁ ଭାବିଥିଲି ଧୋନିଙ୍କ ବିପକ୍ଷରେ ଚହଲ ‌ଚେସ୍‌ ଭଳି ଗୋଟି ଚାଳନା କରୁଛନ୍ତି ଏବଂ ପୂରା ମସ୍ତିଷ୍କ ଏଥିରେ ଲଗାଇ ଦେଇଛନ୍ତି। ଏଭଳି ବୋଲିଂ ଦେଖି ଧୋନି ପରବର୍ତ୍ତୀ ବଲ୍‌ରେ ଲେଗ୍‌ ଷ୍ଟମ୍ପ ବାହାରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଚହଲ ପୁଣି ମସ୍ତିଷ୍କ ଲଗାଇ ଅଫ୍‌ ଷ୍ଟମ୍ପ୍‌ ବାହାରେ ବଲ୍‌ ପକାଇଥିଲେ। ଧୋନି ଅଫ୍‌ ଷ୍ଟମ୍ପ୍‌କୁ ଆସି ବଲ୍‌ ମାରିଦେଲେ। ହେଲେ ବଲ୍‌ ବ୍ୟାଟ୍‌ର ବଟମ ହାଫ୍‌ରେ ବାଜିବାରୁ ଧୋନିଙ୍କ ଏହି ସଟ୍‌ ଶକ୍ତିହୀନ ହୋଇଯାଇଥିଲା। ଲଙ୍ଗ୍‌ ଅଫ୍‌ରେ କ୍ୟାଚ୍‌ ହୋଇ ଧୋନି ପ୍ୟାଭିଲିୟନ ଫେରିଥିଲେ। ଧୋନିଙ୍କ ବିପକ୍ଷରେ ଚହଲଙ୍କ ଏହି ବୋଲିଂ ଚମତ୍କାର ଥିଲା ବୋଲି ମୁମ୍ବାଇର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ସଚିନ କହିଛନ୍ତି।

The post ଧୋନିଙ୍କ ଚେସ୍‌ ଚାଲ୍‌ରେ ଚକ୍‌ମା ଦେଇଛନ୍ତି ଚହଲ: ସଚିନ୍‌ first appeared on Sambad.



from ଖେଳ – Sambad https://ift.tt/30YNO97