
ନୂଆଦିଲ୍ଲୀ: ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍ଏଫ୍) ପୁଣି ଥରେ ଖେଳ ଆରମ୍ଭ କରିବାକୁ ପ୍ରଥମ ପାଦ ବଢ଼ାଇଥିବା ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ୍ଲ ପଟେଲ ସୂଚନା ଦେଇଛନ୍ତି। ମହାସଂଘ ପରିଚାଳନା ପରିଷଦର ନୂଆ ଲକ୍ଷ୍ୟ ‘ଇଣ୍ଡିଆନ୍ ଫୁଟ୍ବଲ୍, ଫରୱାର୍ଡ ଟୁଗେଦର’ ଅନୁଯାୟୀ ଏଭଳି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି। କରୋନା ମହାମାରୀ ଯୋଗୁଁ ଅନ୍ୟ କ୍ରୀଡ଼ାଗୁଡ଼ିକ ପରି ଫୁଟ୍ବଲ୍ ମଧ୍ୟ ସୁପ୍ତ ହୋଇଯାଇଥିଲା। ଏବେ ଆଇଏସ୍ଏଲ୍ ଆରମ୍ଭ କରାଯାଇ ଭାରତରେ ପ୍ରଥମ ଫୁଟ୍ବଲ୍ ପ୍ରତିଯୋଗିତା ଆୟୋଜନ କରିବାକୁ ମହାସଂଘ ଯାଉଥିବା ସେ ସୂଚନା ଦେଇଛନ୍ତି। ଏହି ପ୍ରତିଯୋଗିତା ଅକ୍ଟୋବର ୨୦ ତାରିଖରୁ ଗୋଆରେ ଅନୁଷ୍ଠିତ ହେବ। ବର୍ତ୍ତମାନ ପରିସ୍ଥିତିରେ ଖେଳ ବିଷୟରେ ଆଲୋଚନା କଲାବେଳେ ଦେଶବ୍ୟାପୀ ଏକ ଅବସାଦ ଛାଇ ଯାଇଥିବାପରି ଦେଖାଯାଉଛି। ତଥାପି ଏଆଇଏଫ୍ଏଫ୍ ଦେଶରେ କ୍ରୀଡ଼ାର ଏକ ମାହୋଲ ପ୍ରସ୍ତୁତ କରିବାକୁ ପାଦ ବଢ଼ାଇଛି। ତେବେ ପ୍ରତିଯୋଗିତାର ହିତାଧିକାରୀମାନେ ନିରନ୍ତର ଭାବେ ଏଥିପାଇଁ କାର୍ଯ୍ୟ କରୁଥିବାରୁ ଏହାକୁ ଆୟୋଜନ କରିବାକୁ ମହାସଂଘ ସାହସ ଜୁଟାଇଛି। ଆମର ନୂଆ ଲକ୍ଷ୍ୟ ଅନୁଯାୟୀ, ସମସ୍ତ ହିତାଧିକାରୀଙ୍କ ସହ ଯୋଗାଯୋଗ କରାଯାଉଛି। ଏପରିକି ଏକ ଛୋଟ ଅଂଶୀଦାରଙ୍କ ମଧ୍ୟ ବଡ଼ ଭୂମିକା ରହୁଥିବା ପ୍ରଫୁଲ୍ଲ କହିଛନ୍ତି। ସେହିଭଳି ଦେଶରେ ଫୁଟ୍ବଲ୍ର ଉନ୍ନତି ଦିନରେ ପରିଚାଳନା ପରିଷଦ ବଦ୍ଧପରିକର ବୋଲି ଏଆଇଏଫ୍ଏଫ୍ ସାଧାରଣ ସମ୍ପାଦକ କୁଶାଲ ଦାସ ମତ ରଖିଛନ୍ତି। ତୃଣମୂଳସ୍ତରରୁ ଆରମ୍ଭ କରି ଜାତୀୟ ଦଳ ପର୍ଯ୍ୟନ୍ତ ଅନେକ କାର୍ଯ୍ୟ କରାଯାଉଛି। ତେଣୁ ଖୁବ୍ଶୀଘ୍ର ଯୁବ ପ୍ରତିଭା ମାନଙ୍କୁ ନେଇ ଭାରତୀୟ ଫୁଟ୍ବଲ୍ ଦଳ ଅନେକ ସଫଳତା ପାଇବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
from ଖେଳ – Sambad https://ift.tt/3izvlpJ
0 Comments