ମୁମ୍ବାଇ : ବୁଧବାରର କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ବିପକ୍ଷ ଆଇପିଏଲ୍ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସର ଯୁବ ତାରକା ସଞ୍ଜୁ ସାମସନ୍ ଡିପ୍ ବ୍ୟାକ୍‌ୱାର୍ଡ ସ୍କୋୟାର ଅଞ୍ଚଳରେ ଏକ ଚମତ୍କାର କ୍ୟାଚ୍ ନେଇଥିଲେ। ଏହାକରି ମ୍ୟାଚ୍‌ର ଗୁରୁତ୍ବପୂର୍ଣ୍ଣ କ୍ଷଣରେ ସେ କେକେଆର୍‌ର ପ୍ୟାଟ୍ କମିନ୍ସଙ୍କୁ ପ୍ୟାଭିଲିୟନ୍ ପଠାଇ ଦେଇଥିଲେ। ଏହି କଷ୍ଟକର କ୍ୟାଚ୍ ନେଲା ବେଳେ କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ତାଙ୍କ ମୁଣ୍ଡ ପଡ଼ିଆରେ ପିଟି ହୋଇଯାଇଥିଲା। ଯାହା ତାଙ୍କ ପ୍ରଶଂସକଙ୍କ ସହ ରାଜସ୍ଥାନ ଦଳୀୟ ଅଧିକାରୀଙ୍କୁ ମଧ୍ୟ ଘୋର ଚିନ୍ତାରେ ପକାଇଥିଲା। ରାଜସ୍ଥାନ ଫିଜିଓ ମଧ୍ୟ ତୁରନ୍ତ ପଡ଼ିଆ ଭିତରକୁ ଯାଇ ତାଙ୍କ ଚିକିତ୍ସା କରିଥିଲେ। ହେଲେ ମାତ୍ର କିଛି ସେକେଣ୍ଡ ପରେ ସ୍ମିତ ହାସ୍ୟ ଦେଇ ସାମସନ୍ ପୁଣି ଥରେ କ୍ଷେତ୍ରରକ୍ଷଣ କରିବା ଆରମ୍ଭ କରି ଦେଇଥିଲେ। ତାଙ୍କର ସେହି ଅପ୍ରତ୍ୟାଶିତ ପଡ଼ିଆ ଭିତର ଦୁର୍ଘଟଣାକୁ ଦେଖି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୨୮ ବର୍ଷ ତଳେ ତାଙ୍କ ସହ ଘଟିଥିବା ଠିକ୍ ଏଭଳି ଏକ ଘଟଣାକୁ ମନେ ପକାଇଥିଲେ। ଟ୍ବିଟ୍ କରି ଏହି ବିଷୟ ଜଣାଇବା ସହ ହଠାତ୍ ପଡ଼ିଆରେ ମୁଣ୍ଡ ପିଟି ହୋଇଗଲେ, କିଭଳି ଝଟ୍‌କା ଲାଗେ, ତାକୁ ସେ ଭଲ ଭାବରେ ଅନୁଭବ କରିପାରୁଛନ୍ତି ବୋଲି କହିଥିଲେ। ସଚିନଙ୍କ ସହ ଏଭଳି ଦୁର୍ଘଟଣା ୧୯୯୨ ବିଶ୍ବକପ୍‌ରେ ଘଟିଥିଲା। ୱେଷ୍ଟଇଣ୍ଡିଜ୍‌ର ଫିଲ୍ ସିମନ୍ସଙ୍କ କ୍ୟାଚ୍ ନେଲା ବେଳେ ଭାରସାମ୍ୟ ହରାଇ ସେ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କ ମୁଣ୍ଡରେ ଖୁବଜୋର୍‌ରେ ଆଘାତ ଲାଗିଥିଲା। ସେହି ବିଷୟ ବର୍ଣ୍ଣନା କରିବାକୁ ଯାଇ ସଚିନ ଟ୍ବିଟ୍ କରିଥିଲେ ”ସଞ୍ଜୁ ସାମସନ୍ ତୁମେ ଏକ ଚମତ୍କାର କ୍ୟାଚ୍ ନେଲ! ମୁଁ ଅନୁଭବ କରିପାରୁଛି, ମୁଣ୍ଡ ହଠାତ୍ ପିଟି ‌ହୋଇଗଲେ କିଭଳି ସବୁକିଛି ଅନ୍ଧାର ହୋଇଗଲା ଭଳି ଲାଗେ। ୧୯୯୨ ମସିହାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ ଅବସରରେ ଏକ କ୍ୟାଚ୍ ନେଲା ବେଳେ ମୁଁ ଏଭଳି ଅଭିଜ୍ଞତା କରି ସାରିଛି”।



from ଖେଳ – Sambad https://ift.tt/3nztrZQ