ନୂଆଦିଲ୍ଲୀ: ଆସନ୍ତାବର୍ଷ ଆୟୋଜିତ ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ଉପରେ ଏଥର ସଂସଦୀୟ କମିଟି ନଜର ରଖିବ। ସଂସଦର ମାନବ ସମ୍ବଳ ବିକାଶ ଅନ୍ତର୍ଗତ ଷ୍ଟାଣ୍ଡିଂ କମିଟି ଭାରତୀୟ ଦଳର ଅଲିମ୍ପିକ୍ସ ପ୍ରସ୍ତୁତିର ତଦାରଖ କରିବା ପାଇଁ ପ୍ରସ୍ତୁତ ହେଉଥିବାର ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କିଭଳି ଚାଲିଛି, ଏଥିରେ କ’ଣ ସବୁ ଗ୍ରେ ଏରିଆ ରହିଛି ଏବଂ ଏଥିରେ କିଭଳି ସୁଧାର ଅଣାଯାଇ ପାରିବ ଷ୍ଟାଣ୍ଡିଂ କମିଟି ଏଭଳି ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିବ। ରାଜ୍ୟସଭା ସାଂସଦ ବିନୟ ସହସ୍ରବୁଦ୍ଧେଙ୍କ ଅଧ୍ୟକ୍ଷତାରେ ଗଠିତ ୩୧ ଜଣିଆ ଷ୍ଟାଣ୍ଡିଂ କମିଟି ଖୁବ୍ ଶୀଘ୍ର ଖେଳାଳିଙ୍କର ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକୁ ଗସ୍ତ କରିବ। ଷ୍ଟାଣ୍ଡିଂ କମିଟିରେ ଓଡ଼ିଶାରୁ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ଲୋକସଭା ସାଂସଦ ଅନୁଭବ ମହାନ୍ତି ରହିଛନ୍ତି। ଅଲିମ୍ପିକ୍ସ ପାଇଁ ଖେଳାଳିମାନଙ୍କ ପ୍ରସ୍ତୁତି କରୋନା ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଛି। ଖେଳାଳିମାନେ ବର୍ତ୍ତମାନ ଦିଲ୍ଲୀ, ପଟିଆଲା, ସୋନିପଥ, ବେଙ୍ଗାଲୁରୁରେ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଏଥିରୁ କୌଣସି ଗୋଟିଏ କେନ୍ଦ୍ରକୁ ସଂସଦୀୟ କମିଟି ଗସ୍ତ କରି ଖେଳାଳିମାନଙ୍କ ସହିତ କଥାବାର୍ତ୍ତା କରିବ।

ଅପରପକ୍ଷେ ରାଜ୍ୟସଭା ସଚିବାଳୟ ପକ୍ଷରୁ ଅଲିମ୍ପିକ୍ସ ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟକୁ ପତ୍ର ଲେଖାଯାଇ ପଦକ ସମ୍ଭାବନା ଉପରେ ଉତ୍ତର ଲୋଡ଼ାଯାଇଛି। ପ୍ରସ୍ତୁତ ହେଉଥିବା ଖେଳାଳି ତଥା ସପୋର୍ଟ ଷ୍ଟାଫ୍‌ମାନଙ୍କର ତାଲିକା ମଧ୍ୟ ମଗାଯାଇଛି। ପାଞ୍ଚଟି ଏଭଳି କ୍ରୀଡ଼ା ଯେଉଁଥିରେ ଅଲିମ୍ପିକ୍ସରେ ପଦକ ଜିତିବାର ସମ୍ଭାବନା ଅଧିକ ରହିଛି ସେନେଇ ମନ୍ତ୍ରଣାଳୟଠାରୁ ଉତ୍ତର ଲୋଡ଼ାଯାଇଛି। ଏତଦ୍‌ବ୍ୟତୀତ ଖେଳ ସଂଘଗୁଡ଼ିକଠାରୁ ପଦକ ସମ୍ଭାବନାକୁ ନେଇ ସମ୍ପୂର୍ଣ୍ଣ ବିବରଣୀ ମଧ୍ୟ ରାଜ୍ୟସଭା ସଚିବାଳୟ ପକ୍ଷରୁ ଲୋଡ଼ାଯାଇଛି।

The post ଅଲିମ୍ପିକ୍ସ ପ୍ରସ୍ତୁତି ସଂସଦୀୟ କମିଟିରେ ସସ୍ମିତ ଓ ଅନୁଭବ first appeared on Sambad.



from ଖେଳ – Sambad https://ift.tt/376Temf