
ପ୍ୟାରିସ: ଚଳିତ ଫ୍ରେଞ୍ଚ ଓପନ୍ ଟେନିସ ପ୍ରତିଯୋଗିତାରେ ରବିବାରଠୁ ଆରମ୍ଭ ହୋଇଥିବା ପ୍ରି-କ୍ବାର୍ଟର ଫାଇନାଲ୍ରେ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିିଛି। ମହିଳା ଏକକରେ ଶୀର୍ଷ ମାନ୍ୟତାପ୍ରାପ୍ତ ସିମୋନା ହାଲେପ ଓ ପଞ୍ଚମ ମାନ୍ୟତାପ୍ରାପ୍ତ କିକି ବର୍ତେନ୍ସଙ୍କ ସହ ପୁରୁଷ ଏକକରେ ଷଷ୍ଠ ମାନ୍ୟତାପ୍ରାପ୍ତ ଆଲେକ୍ଜାଣ୍ଡର ଭେରଭ ବିଦାୟ ନେଇଛନ୍ତି। ତେବେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ରାଫେଲ ନାଦାଲ ଏଠାରେ ନିଜର ତ୍ରୟୋଦଶ ଟ୍ରଫି ହାସଲ ଦିଗରେ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି। ମହିଳା ଏକକରେ ତୃତୀୟ ମାନ୍ୟତାପ୍ରାପ୍ତ ଏଲିନା ସ୍ବିତୋଲିନା କ୍ବାର୍ଟର ଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି।
୨୦୧୮ରେ ଏଠାରେ ବିଜୟିନୀ ହୋଇଥିବା ରୋମାନିଆର ହାଲେପଙ୍କୁ ବିଦାୟ ରାସ୍ତା ଦେଖାଇଛନ୍ତି ପୋଲାଣ୍ଡର ୧୯ ବର୍ଷୀୟା ଯୁବତୀ ଇଗା ସ୍ବିଏତେକ। ୫୪ ମାନ୍ୟତାପ୍ରାପ୍ତ ଏହି କନିଷ୍ଠ ୱିମ୍ବଲଡନ୍ ବିଜୟିନୀ ୬-୧, ୬-୨ ସିଧାସଳଖ ସେଟ୍ରେ ୨୯ ବର୍ଷୀୟା ହାଲେପଙ୍କୁ ପରାସ୍ତ କରି ପ୍ରଥମ ଥର ଗ୍ରାଣ୍ଡ ସ୍ଲାମ୍ ପ୍ରତିଯୋଗିତାର କ୍ବାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି। କ୍ବାର୍ଟର୍ ଫାଇନାଲ୍ରେ ସେ ଇଟାଲିର ମାର୍ଟିନା ଟ୍ରେଭିସାନଙ୍କୁ ଭେଟିବେ। ଟ୍ରେଭିସାନ ୬-୪, ୬-୪ ସେଟ୍ରେ ନେଦରଲାଣ୍ଡର ବର୍ତେନ୍ସଙ୍କୁ ମାତ୍ ଦେଇଥିଲେ। ୟୁକ୍ରେନର ସ୍ବିତୋଲିନା ୬-୧, ୬-୩ ସେଟ୍ରେ ଫ୍ରାନ୍ସର କାରୋଲିନା ଗାର୍ସିଆଙ୍କୁ ହରାଇଥିଲେ। କ୍ବାର୍ଟର୍ରେ ସେ ଆର୍ଜେଣ୍ଟିନାର ନାଦିଆ ପୋଡୋରୋସ୍କାଙ୍କୁ ଭେଟିବେ। ପୋଡୋରୋସ୍କା ୨-୬, ୬-୨, ୬-୩ ସେଟ୍ରେ ଚେକ୍ ଗଣରାଜ୍ୟର ବାର୍ବୋରା କ୍ରେଜିସିକୋଭାଙ୍କୁ ପରାସ୍ତ କରିଥିଲେ।
୧୯ ଗ୍ରାଣ୍ଡ ସ୍ଲାମ୍ ଏକକ ଟ୍ରଫି କରାୟତ୍ତ କରିଥିବା ସ୍ପେନ୍ ତାରକା ନାଦାଲ ସହଜ ବିଜୟ ସହ କ୍ବାର୍ଟର ଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି। ସେ ୬-୧, ୬-୧, ୬-୨ ସିଧାସଳଖ ସେଟ୍ରେ ଆମେରିକାର ସେବାସ୍ତିଆନ୍ କୋର୍ଡାଙ୍କୁ ପରାସ୍ତ କରିଥିଲେ। ଏଥିସହ ନାଦାଲ ୧୪ ଥର ରୋଲାଣ୍ଡ ଗାରୋସ କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିବାରେ ନୂଆ କୀର୍ତ୍ତିମାନ କରିଛନ୍ତି। କ୍ବାର୍ଟର୍ରେ ସେ ଇଟାଲିର ଜାନିକ ସିନରଙ୍କୁ ଭେଟିବେ। ସିନର ୬-୩, ୬-୩, ୪-୬, ୬-୩ ସେଟ୍ରେ ଜର୍ମାନିର ଭେରଭଙ୍କୁ ପରାସ୍ତ କରିଥିଲେ।
from ଖେଳ – Sambad https://ift.tt/2GoZQ4x
0 Comments