ନୂଆଦିଲ୍ଲୀ: ଦଳରେ ସନ୍ତୁଳନ ରକ୍ଷା କରିବାରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ସବୁବେଳେ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଦଳ ସବୁବେଳେ ବ୍ୟାଟିଂ ଉପରେ ଅଧିକ ନିର୍ଭର କରୁଥିବାରୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା ବେଳେ ବୋଲିଂ ବିଭାଗରେ ଅନେକ ଅଭାବ ପରିଲକ୍ଷିତ ହେଉଛି। ତଥାପି ଏହାରି ଭିତରେ ୟୁଜବେନ୍ଦ୍ର ଚହଲ ଆଶାର କିରଣ ସଞ୍ଚାର କରିଛନ୍ତି। ତେଣୁ ଏହି ସ୍ପିନର ଜଣକ ଅନ୍ୟତମ ନିର୍ଭରଯୋଗ୍ୟ ସଦସ୍ୟ ହୋଇପାରିଛନ୍ତି।

ଚଳିତ ସଂସ୍କରଣରେ ମଧ୍ୟ ଚହଲ ଭଲ ପ୍ରଦର୍ଶନ କରୁଛନ୍ତି। ବର୍ତ୍ତମାନସୁଦ୍ଧା ସେ ୫ ୱିକେଟ ଅକ୍ତିଆର କରିସାରିଲେଣି। ବ୍ୟାଟିଂ ଉପଯୋଗୀ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଜଣେ ବୋଲରଙ୍କୁ ବଲ୍‌ ପକାଇବା ସହଜ ହୋଇନଥାଏ। କିନ୍ତୁ ଚହଲ ଏଭଳି ପଡ଼ିଆରେ ସଫଳ ହୋଇଥିଲେ। କିନ୍ତୁ ୟୁଏଇର ବଡ଼ ପଡ଼ିଆରେ ବୋଲିଂ କରିବା ତାଙ୍କ ପାଇଁ ସ୍ବର୍ଗୀୟ ଅନୁଭୂତି ହେଉଛି। ତଥାପି ଲେଗ ସ୍ପିନ ଅପେକ୍ଷା ଗୁଗ୍‌ଲିରେ ସେ ସଫଳତା ପାଉଥବା କହିଛନ୍ତି।

ଗୁଗ୍‌ଲି ପକାଉଥିବା ବେଳେ ସେ ଅଧିକ ଦ୍ରୁତ ଗତିରେ ବଲ୍‌ ପକାଉଛନ୍ତି। ଏଥିସହ ଅନ୍ୟପଟରୁ ଆଦାମ ଜାମ୍ପାଙ୍କ ସହଯୋଗ ମିଳୁଥିବାରୁ ଚହଲଙ୍କୁ ବଲ୍‌ ପକାଇବାରେ ଅଧିକ ସହଜ ହୋଇଯାଉଛି। ଉଭୟ ଜାମ୍ପା ଓ ଚହଲ ସବୁବେଳେ ଖେଳ ବିଷୟରେ ଆଲୋଚନା କରିଥା’ନ୍ତି। ଜାମ୍ପା ଯେତେବେଳେ ଅଷ୍ଟ୍ରେଲିଆ ଦଳ ସହ ଖେଳିବାକୁ ଆସିଥା’ନ୍ତି, ସେବେଠୁ ତାଙ୍କୁ ନିକଟରୁ ନୀରିକ୍ଷଣ କରିଥାଏ ବୋଲି ଚହଲ କହିଛନ୍ତି। ତେବେ ଗୁଗ୍‌ଲି ପକାଇବା ପାଇଁ ଏବି ଡିଭିଲିୟର୍ସ ଅଧିକ ପରାମର୍ଶ ଦେଉଥିବା ସେ କହିଛନ୍ତି। ଏଥିସହ ନେଟ୍ସରେ ବିରାଟ କୋହଲି ଓ ଡିଭିଲିୟର୍ସଙ୍କୁ ବଲ୍‌ ପକାଇଥିବାର ସେମାନେ କେଉଁ ସ୍ଥାନରେ ବଲ୍‌କୁ ପକାଇଲେ ବ୍ୟାଟ୍ସମ୍ୟାନଙ୍କୁ ଖେଳିବାରେ ସମସ୍ୟା ହେବ, ତାହା ଜଣାଇଦେଇଥା’ନ୍ତି। ତେଣୁ ପରିସ୍ଥିତି ଅନୁଯାୟୀ ଗୁଗ୍‌ଲି ପକାଇବାକୁ ଡିଭିଲିୟର୍ସ ତାଙ୍କୁ ପରାମର୍ଶ ଦେଇଥିବା ଚହଲ ପ୍ରତିକ୍ରିୟା ଦେଇଛନ୍ତି।

ଚହଲଙ୍କ ଅନୁଯାୟୀ, ଦୁବାଇ ଓ ଆବୁଧାବିର ବଡ଼ ପଡ଼ିଆ ଯୋଗୁଁ ସ୍ପିନରମାନଙ୍କୁ ଅଧିକ ଫ୍ଲାଇଟ୍‌ ବଲ୍‌ ପକାଇବାକୁ ସୁଯୋଗ ମିଳିଯାଉଛି। କିନ୍ତୁ ଛୋଟ ପଡ଼ିଆରେ ଯଦି ପିଚ୍‌ରୁ ଟର୍ଣ୍ଣ ମିଳୁଛି, ତେବେ ବଲ୍‌କୁ ଦୂରରୁ ଖେଳାଇବାରେ ଅସୁବିଧା ହେବ। ଏଠାରେ ବଡ଼ ବାଉଣ୍ଡାରି ଯୋଗୁଁ ବ୍ୟାଟ୍ସମ୍ୟାନ ଛକା ମାରିବାକୁ ସବୁ ପ୍ରୟାସ କରିବ। ତେଣୁ ଏକ ଭଲ ସଟ୍‌ବଲ୍‌ରେ ବି ୱିକେଟ ମିଳିଯିବା ସମ୍ଭାବନା ଅଧିକ ରହିଛି। ଏଥିସହ କାକର ମଧ୍ୟ ଏକ ବଡ଼ ଭୂମିକା ନେଉଛି। ତେଣୁ ଏଭଳିସ୍ଥିତିର କିପରି ମୁକାବିଲା କରାଯିବା ତାହା ଆମକୁ ଶିଖିବାକୁ ମିଳୁଛି। ଏଠାରେ ତାପମାତ୍ରା ଅଧିକ ଥିବାରୁ ପ୍ରବଳ ଝାଳ ବାହାରୁଛି। ତେଣୁ ବଲ୍‌କୁ ଗ୍ରିପ୍‌ କରିବାରେ ମଧ୍ୟ ସମସ୍ୟା ହେଉଥିବା ଚହଲ କହିଛନ୍ତି।



from ଖେଳ – Sambad https://ift.tt/36yu0wH