
ମୁମ୍ବାଇ: ପୂର୍ବତନ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ତଥା ଜଣାଶୁଣା କ୍ରିକେଟ୍ ଭାଷ୍ୟକାର ଡିନ୍ ଜୋନ୍ସଙ୍କର ଗୁରୁବାର ଅପରାହ୍ନରେ ଅପ୍ରତ୍ୟାଶିତ ପରଲୋକ ଘଟିଛି। ଆଇପିଏଲ୍ ପ୍ରସାରଣ ବ୍ୟବସ୍ଥାରେ ଅଂଶବିଶେଷ ଭାବେ ମୁମ୍ବାଇରେ ଥିବାବେଳେ ହଠାତ୍ ହୃଦ୍ଘାତ କାରଣରୁ ୫୯ ବର୍ଷ ବୟସରେ ତାଙ୍କ ଦେହାନ୍ତ ଘଟିଛି। ଅଷ୍ଟ୍ରେଲିଆରେ ଥିବା ତାଙ୍କ ପରିବାର ଲୋକଙ୍କୁ ଏହି ଖବର ପ୍ରଦାନ କରାଯାଇଛି। ଗୁରୁବାର ପ୍ରାତଃଭୋଜନ ଶେଷ କରିବା ପରେ ପ୍ରାୟ ୧୧ଟା ବେଳକୁ ସେ ଦକ୍ଷିଣ ମୁମ୍ବାଇରେ ରହୁଥିବା ହୋଟେଲ୍ କରିଡରରେ କିଛି ସହଯୋଗୀଙ୍କ ସହ ଆଲୋଚନା କରୁଥିଲେ। ହଠାତ୍ ଟଳି ପଡି ଅଚେତ ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ହରକିସନ୍ ଦାସ ହସପିଟାଲ୍କୁ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଆମେ ଅଷ୍ଟ୍ରେଲିଆ ହାଇ କମିସନ୍ ସହ ଯୋଗାଯୋଗରେ ରହିଛୁ। କ୍ରିକେଟ୍ ଖେଳର ସେ ଜଣେ ମହାନ ରାଷ୍ଟ୍ରଦୂତ ଥିଲେ। ଦକ୍ଷିଣ ଏସିଆ କ୍ରିକେଟ୍ ବିକାଶରେ ମଧ୍ୟ ନିଜକୁ ଜଡ଼ିତ ରଖିଥିଲେ। ନୂଆ ପ୍ରତିଭା ଅନ୍ବେଷଣ ଏବଂ ସେମାନଙ୍କୁ ଗଢ଼ି ତୋଳିବାରେ ବି ପ୍ରମୁଖ ଭୂମିକା ତୁଲାଉଥିଲେ ବୋଲି ପ୍ରସାରଣକାରୀ ସଂସ୍ଥା ଷ୍ଟାର୍ ଇଣ୍ଡିଆ କହିଛି। ଅଷ୍ଟ୍ରେଲିଆ ପାଇଁ ଏହି ମହାନ ବ୍ୟାଟସମ୍ୟାନ୍ ୫୨ ଟେଷ୍ଟ୍ ଖେଳି ୩୬୩୧ ରନ୍ ଏବଂ ୧୬୪ ଦିନିକିଆ ଖେଳି ୬୦୬୮ ରନ୍ କରିଥିଲେ। ୧୯୮୪ରୁ ୧୯୯୪ ମସିହା ମଧ୍ୟରେ ଅନ୍ତର୍ଜାତୀୟ ଜୀବନକାଳରେ ଡିନ୍ ଜୋନ୍ସ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ଅବସର ପରେ ସେ ପ୍ରଶିକ୍ଷଣ ଏବଂ ଭାଷ୍ୟକାର ଜୀବନକୁ ପେସା କରିଥିଲେ।
କ୍ରିକେଟ୍ ଜଗତ ସ୍ତବ୍ଧ, ଆଇସିସିର ଶ୍ରଦ୍ଧାଞ୍ଜଳି
ଜୋନ୍ସଙ୍କ ଦେହାନ୍ତ ଖବର ପାଇବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଏଭଳି ଦୁଃଖଦ ଖବର ପାଇ ମୁଁ ମର୍ମାହତ, ତାଙ୍କ ପରିବାର ଓ ବଂଧୁମାନଙ୍କୁ ପ୍ରଭୁ ସାମର୍ଥ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ଲେଖିଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି। ଏବେ ବି ଏହାକୁ ମୁଁ ବିଶ୍ବାସ କରିପାରୁନି, ସେ ମୋର ଅନ୍ୟତମ ପସନ୍ଦର ଭାଷ୍ୟକାର ଥିଲେ ବୋଲି ନିଜ ଟ୍ବିଟ୍ରେ ଲେଖିଛନ୍ତି ବୀରେନ୍ଦ୍ର ସେହବାଗ। ଜଣେ ସହଯୋଗୀ ଓ ବଂଧୁଙ୍କୁ ହରାଇବା ବାସ୍ତବରେ ଦୁଃଖଦାୟକ, ଏତେ କମ୍ ବୟସରେ ଚାଲିଗଲ। ପରିବାର ଓ ପରିଜନଙ୍କୁ ସାହସ ଓ ଶକ୍ତି ମିଳୁ ବୋଲି ଉଲ୍ଲେଖ କରିଛନ୍ତି ଭାରତୀୟ ଦଳର ପ୍ରଶିକ୍ଷକ ରବି ଶାସ୍ତ୍ରୀ। ଆଇପିଏଲ୍ ମଝିରେ ଡିନ୍ ଜୋନ୍ସଙ୍କ ଦେହାନ୍ତ କାରଣରୁ ଚେନ୍ନାଇ ସୁପର୍ କିଙ୍ଗ୍ସ, କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ପ୍ରମୁଖ ମଧ୍ୟ ନିଜ ନିଜ ଟ୍ବିଟର୍ ହ୍ୟାଣ୍ଡଲରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଜିମ୍ମି ନୀସାମ, ଶିଖର ଧାୱନ, ଇର୍ଫାନ୍ ପଠାନ୍ ପ୍ରମୁଖ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ତାଙ୍କ ସହ ଖେଳିବାର ସୁଯୋଗ ପାଇଥିବା କଥାକୁ ମନେ ପକାଇ ବ୍ୟାଟିଂ କିଂବଦନ୍ତି ସଚିନ ତେନ୍ଦୁଲକର ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଅନିଲ କୁମ୍ବଲେ, ଭିଭିଏସ୍ ଲକ୍ଷ୍ମଣ, କେଭିନ୍ ପିଟରସନ୍, କୁମାର ସାଙ୍ଗାକାରା, ରବିଚନ୍ଦ୍ରନ୍ ଅଶ୍ବିନ୍, ରମିଜ୍ ରାଜା, ଆକାଶ ଚୋପ୍ରା, ଇମାଦ ୱାସିମ୍ ପ୍ରମୁଖ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ଅଷ୍ଟ୍ରେଲୀୟ କ୍ରିକେଟରଙ୍କ ମଧ୍ୟରୁ ଡେଭିଡ୍ ୱାର୍ନର, ଜାସନ୍ ଗିଲେସ୍ପି, ଆରୋନ୍ ଫିଞ୍ଚ୍, ଗ୍ଲେନ୍ ମ୍ୟାକ୍ସୱେଲ, ସନ୍ ଟେଟ୍ ମଧ୍ୟ ଦୁଃଖଭରା ଶୋକ ପ୍ରକାଶ କରିଛନ୍ତି।
from ଖେଳ – Sambad https://ift.tt/3j3Qvgx
0 Comments