
ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ)ର ତ୍ରୟୋଦଶ ସଂସ୍କରଣର ୭ମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍ ଲଗାତର ଦ୍ବିତୀୟ ପରାଜୟ ବରଣ କରିଛି। ବ୍ୟାଟସମ୍ୟାନମାନଙ୍କର ବିଫଳ ପ୍ରଦର୍ଶନ ଫଳରେ ୧୭୬ ରନର ବିଜୟ ଲକ୍ଷ ହାସଲ କରି ନ ପାରି ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ୪୪ ରନରେ ହାରିଯାଇଛି ଚେନ୍ନାଇ।
ଚେନ୍ନାଇର ଦୁଇ ଓପନର ଶେନ୍ ୱାଟସନ୍ ଓ ମୂରଲୀ ବିଜୟ ଯଥାକ୍ରମେ ୧୪ ଓ ୧୦ ରନରେ ଆଉଟ୍ ହୋଇଯାଇଥିଲେ। ଏହାପରେ ଋତୁରାଜ ଗାଏକୱାଡ୍ ମାତ୍ର ୫ ରନରେ ପାଭଲିଅନକୁ ଫେରିଯାଇଥିଲେ। ପରେ ଫାବ୍ ଡୁ ପ୍ଲେସିସ୍ ଓ କେଦାର ଯାଦବ ମ୍ୟାଚ ବଞ୍ଚାଇବାକୁ ପ୍ରୟାସ କରିଥିଲେ। ମାତ୍ର ରନ ସଂଗ୍ରହ ଧିମା ପଡ଼ିଯାଇଥିଲା। ଫାବ୍ ଡୁ ପ୍ଲେସିସ୍ ୪୩(୩୫) ଓ କେଦାର ଯାଦବ ୨୬ (୨୧) କରି କ୍ରିଜରୁ ବିଦାୟ ନେଇଥିଲେ। ଏହାପରେ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀ ପଡ଼ିଆକୁ ଆସି ମ୍ୟାଚ ସୁଧାରିବାକୁ ଚାହିଁଥିଲେ, ମାତ୍ର ସେ ୧୫ ରନ୍ କରି ଆଉଟ୍ ହୋଇଯାଇଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ଚେନ୍ନାଇ ଦଳ ୧୩୧ ରନ କରିବାକୁ ସକ୍ଷମ ହୋଇଥିଲା।
ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆଜି ଆଇପିଏଲ ୨୦୨୦ର ୭ମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ ଜିଣି ପ୍ରଥମେ ବୋଲି କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ବ୍ୟାଟିଂ ଲାଗି ପଡ଼ିଆକୁ ଓହ୍ଲାଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ।
ଦିଲ୍ଲୀର ଓପନର ପୃଥ୍ୱୀ ସ ବିସ୍ଫୋରକ ବ୍ୟାଟିଂ କରି ଇନିଂସ ଆରମ୍ଭ କରିଥିଲେ । ସେ ୪୩ଟି ବଲ ଖେଳି ୬୪ ରନ ସଂଗ୍ରହ କରିଥିଲେ । ଏଥିରେ ୯ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା । ଟିମର ଅନ୍ୟତମ ଓପନର ଶିଖର ଧାୱନ ୩ଟି ଚୌକା ଓ ଗୋଟିଏ ଛକା ବଳରେ ବ୍ୟକ୍ତିଗତ ୩୫ ରନ୍ ସଂଗ୍ରହ କରିଥିଲେ । ସେହପରି ଅଧିନାୟକ ଶ୍ରେୟସ ଆୟାର ୨୨ଟି ବଲରୁ ଗୋଟିଏ ଚୌକା ସହିତ ୨୬ ରନ ସଂଗ୍ରହ କରିଥିଲେ । ଟିମ ପାଇଁ ଋଷଭ ପନ୍ତ ଅପରାଜିତ ୩୭ ରନ ଓ ମାର୍କସ ଷ୍ଟୋଇନିସ ଅପରାଜିତ ୫ ରନ୍ କରିଥିଲେ । ଏଥିସହ ନିର୍ଦ୍ଧାରିତ ୨୦ ଓଭର ଖେଳି ଚେନ୍ନାଇ ସୁପର କିଙ୍ଗସ୍କୁ ୧୭୬ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ ।
ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ପିୟୁଷ ଚାୱଲା ୪ ଓଭର ବୋଲିଂ କରି ୩୩ ରନ ଦେଇଥିଲେ ଓ ସେ ୨ଟି ୱିକେଟ ଅକ୍ତିଆର କରିଥିଲେ । ସେହିଭଳି ସାମ କୁରାନଙ୍କୁ ଗୋଟିଏ ୱିକେଟ ମିଳିଥିଲା । କୁରାନ ନିଜର ୪ ଓଭର ବୋଲିଂରେ ୨୭ ରନ ଖର୍ଚ୍ଚ କରିଥିଲେ ।
from ଖେଳ – Sambad https://ift.tt/308d64g
0 Comments