
ନୂଆଦିଲ୍ଲୀ : ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଅଗ୍ରଣୀ ରନ୍ ସ୍କୋରର୍ ଭାବେ ଆନ୍ତର୍ଜାତିକ କ୍ରିକେଟ୍ର ସମାପ୍ତି ଘଟାଇଥିଲେ। ହେଲେ ୧୯୯୦ ଦଶକର ପ୍ରାରମ୍ଭରେ ଭାରତୀୟ ଦଳରେ ଯଦି ତାଙ୍କୁ ଜଣେ ଓପ୍ନର ଭାବେ ପଦୋନ୍ନତି ମିଳିନଥା’ନ୍ତା ତାହାଲେ ହୁଏତ ସଚିନ୍ ସେତେସବୁ ସଫଳତା ହାସଲ କରିପାରିନଥା’ନ୍ତେ। ତାଙ୍କ କ୍ୟାରିୟରର ମୋଡ଼ ବିଶେଷକରି ମହମ୍ମଦ ଆଝାରୁଦ୍ଦିନ୍ଙ୍କ ନିଷ୍ପତ୍ତି ହିଁ ବଦଳାଇ ଦେଇଥିଲା। ସେତେବେଳେ ନ୍ୟୁଜିଲାଣ୍ଡ୍ ବିପକ୍ଷ ଶୃଙ୍ଖଳା ଖେଳିବାକୁ ଭାରତ ଗସ୍ତ କରିଥାଏ। ଅକ୍ଲାଣ୍ଡ ଦିନିକିଆ ମ୍ୟାଚ୍ରେ ସେତେବେଳର ଯୁବ ତାରକା ସଚିନ୍ ପାଳି ଆରମ୍ଭ କରିଥିଲେ। ସେହି ମ୍ୟାଚ୍ରେ ସେ ୪୯ ବଲ୍ରୁ ଦ୍ରୁତ ୮୨ ରନ୍ କରିଥିଲେ। ଆଉ ସେବେଠାରୁ ସଚିନ୍ ଭାରତୀୟ ଦଳରେ ପଛକୁ ଫେରି ଚାହିଁନଥିଲେ। ଏହାର କିଛି ବର୍ଷ ପର୍ଯ୍ୟନ୍ତ ସେହି ଦଳର ସଦସ୍ୟ ଥିବା ଅଧିକାଂଶ ପୂର୍ବତନ କ୍ରିକେଟର୍ ସଚିନ୍ଙ୍କୁ ଓପ୍ନର ଭାବେ ପଦୋନ୍ନତି ଘଟଣାକୁ ସକାରାତ୍ମକ ଭାବେ ବର୍ଣ୍ଣନା କରିଯାଇଛନ୍ତି। ତେବେ ଏଥର ସେହି ଘଟଣା ଉପରୁ ପରଦା ହଟାଇଛନ୍ତି ନିଜେ ସଚିନ୍।
ସଚିନ୍ଙ୍କ କହିବା କଥା ହେଲା, ସେହି ମ୍ୟାଚ୍ ପୂର୍ବରୁ ଓପ୍ନର ନଭ୍ଜ୍ୟୋତ୍ ସିଂହ ସିଦ୍ଧୁ ବେକ ଯନ୍ତ୍ରଣା ଯୋଗୁଁ ଖେଳିପାରିବେନି ବୋଲି ଦଳକୁ ଜଣାଇ ଦେଇଥିଲେ। ସେତେବେଳେ ଆଝାରୁଦ୍ଦିନ୍ ଅଧିନାୟକ ଏବଂ ଅଜିତ୍ ୱାଦେକର ପ୍ରଶିକ୍ଷକ ଥାଆନ୍ତି। ସିଦ୍ଧୁଙ୍କ ଅନୁପସ୍ଥିତିରେ କିଏ ପାଳି ଆରମ୍ଭ କରିବ ସେନେଇ ଉଭୟ ଆଝାର ଓ ୱାଦକରଙ୍କ ମଧ୍ୟରେ ଆଲୋଚନା ଚାଲିଥାଏ। ସେତିକିବେଳେ ମୋତେ ପାଳି ଆରମ୍ଭ କରିବାର ସୁଯୋଗ ଦିଆଯାଇପାରେ ବୋଲି ମୁଁ ୱାଦେକର ସାର୍ଙ୍କୁ ପ୍ରସ୍ତାବ ଦେଇଥିଲି। ମୁଁ ମଧ୍ୟ ନିଜ ସଟ୍ ଖେଳିବା ଉପରେ ପୂରା ଆତ୍ମବିଶ୍ବାସୀ ରହିଥିଲି। ମୁଁ ମଧ୍ୟ ଅଧିନାୟକ ଆଝାରଙ୍କୁ ସେତେବେଳେ କହିଥିଲି, ମୋତେ ପାଳି ଆରମ୍ଭ କରିବାର ସୁଯୋଗ ଦିଆଯାଉ। ଯଦି ସେଥିରେ ବିଫଳ ହେବି ତାହାଲେ ଆଉ କଦାପି ଓପ୍ନିଂକୁ ଫେରିବିନି ବୋଲି କହିଥିଲି। ଏକଥା ଆକାଶ ଚୋପ୍ରାଙ୍କୁ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କହିଥିଲେ ସଚିନ୍।
from ଖେଳ – Sambad https://ift.tt/2G9N7lI
0 Comments