
ମାଞ୍ଚେଷ୍ଟର: ଇଂଲଣ୍ଡଠୁ ମ୍ୟାଚ୍ ଛଡ଼ାଇନେଲେ ଆଲେକ୍ସ କାରେ ଓ ଗ୍ଲେନ୍ ମ୍ୟାକ୍ସୱେଲ। ଉଭୟ ନିଜ ନିଜ ଶତକ ହାସଲ କରିବା ସହିତ ଷଷ୍ଠ ୱିକେଟ୍ରେ ଦ୍ବିଶତକୀୟ ଭାଗୀଦାରି କରି ଅଷ୍ଟ୍ରେଲିଆକୁ ଶୃଙ୍ଖଳା ବିଜୟ ଭେଟିଦେଲେ। ଜନି ବେୟାରଷ୍ଟୋଙ୍କ ଶତକକୁ ଫିକା କରି ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆ ୩ ୱିକେଟ୍ର ବିଜୟ ହାସଲ କଲା। ଏଥି ସହିତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତିନେଲା ଅଷ୍ଟ୍ରେଲିଆ। ଗ୍ଲେନ୍ ମ୍ୟାକ୍ସୱେଲ୍ ଉଭୟ ମ୍ୟାଚ୍ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇ ନେଇଥିଲେ।
ଦ୍ବିତୀୟ ମ୍ୟାଚ୍କୁ ଅପ୍ରତ୍ୟାଶିତ ଭାବେ ହାରିଯାଇଥିବା ଅଷ୍ଟ୍ରେଲିଆ କିନ୍ତୁ ତୃତୀୟ ମ୍ୟାଚ୍କୁ ହାତଛଡ଼ା କରିନଥିଲା। ୩୦୩ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଏହି ଦଳ ଆରମ୍ଭରୁ ଝଟ୍କା ପାଇଥିଲା। କ୍ରିସ୍ ୱକ୍ସ ଅଧିନାୟକ ଆରୋନ୍ ଫିଞ୍ଚ୍ (୧୨) ଏବଂ ମାର୍କସ ଷ୍ଟୋଇନିସ୍ (୪)ଙ୍କୁ ପଞ୍ଚମ ଓଭର ସୁଦ୍ଧା ପାଭିଲିୟନ୍ ପଠାଇ ଦେବା ପରେ ଜୋ ରୁଟ୍ ଲଗାତାର ଦୁଇ ଓଭରରେ ଡେଭିଡ୍ ୱର୍ନର (୨୪) ଓ ମିଚେଲ ମାର୍ସ (୨)ଙ୍କୁ ଶିକାର କରି ଅଷ୍ଟ୍ରେଲିଆକୁ ଦୋହଲାଇ ଦେଇଥିଲେ। ଫଳରେ ଭ୍ରମଣକାରୀ ଦଳ ୫୫ ରନ୍ରେ ୪ ୱିକେଟ୍ ହରାଇ ସଂକଟରେ ପଡ଼ିଯାଇଥିଲା। ଏହାପରେ ମାର୍ନସ ଲବୁସାନ୍ (୨୦) ରନ୍ ଆଉଟ୍ ହୋଇଯାଇଥିଲା ବେଳେ କାରେ ଓ ମାକ୍ସୱେଲ୍ ଷଷ୍ଠ ୱିକେଟ୍ରେ ୨୧୨ ରନ୍ ଯୋଡ଼ି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ। ମାକ୍ସୱେଲ୍ ୮୪ ବଲ୍ରୁ ଶତକ ପୂର୍ଣ୍ଣ କରିଥିଲେ। ସେଥିରେ ୪ ଚୌକା ଓ ୭ ଛକା ମାରିଥିଲେ। ଏହା ଥିଲା ତାଙ୍କର ଦ୍ବିତୀୟ ଦିନିକିଆ ଶତକ। ୧୦୮ ରନ୍ କରିଥିଲା ବେଳେ ଆଦିଲ ରସିଦ୍ ତାଙ୍କୁ ଶିକାର କରିନେଇଥିଲେ। କାରେ ୧୦୬ ବଲ୍ରୁ ଶତକ ପୂରଣ କରିଥିଲେ। ଅବଶ୍ୟ ସେ ୧୦୬ ରନ୍ରେ ଜୋଫ୍ରା ଆର୍ଚରଙ୍କ ଦ୍ବାରା ଆଉଟ୍ ହୋଇଯାଇଥିଲେ। ଶେଷ ଓଭରରେ ଅଷ୍ଟ୍ରେଲିଆକୁ ଦରକାର ଥିଲା ୧୦ ରନ୍। ରସିଦ୍ଙ୍କ ପ୍ରଥମ ବଲ୍କୁ ମିଚେଲ ଷ୍ଟାର୍କ ଛକା ମାରିବା ପରେ ପ୍ୟାଟ୍ କମିନ୍ସଙ୍କ ସହ ୨ ବଲ୍ ପୂର୍ବରୁ ବିଜୟ ମୁଣ୍ଡି ମାରିଥିଲେ।
ଟସ୍ ଜିତି ଘରୋଇ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ମିଚେଲ ଷ୍ଟାର୍କ ମ୍ୟାଚ୍ର ପ୍ରଥମ ଦୁଇଟି ବଲ୍ରେ ଜାସନ୍ ରୟ (୦) ଏବଂ ଜୋ ରୁଟ୍ (୦)ଙ୍କୁ ଖାତା ଖୋଲିବା ପୂର୍ବରୁ ପାଭିଲିୟନ୍ ପଠାଇ ଦେଇ ହ୍ୟାଟ୍ରିକ୍ ସମ୍ଭାବନା ସୃଷ୍ଟି କରିଥିଲେ। ତେବେ ଅଧିନାୟକ ଇଅନ୍ ମୋର୍ଗାନ୍ ତାଙ୍କୁ ହ୍ୟାଟ୍ରିକ୍ରୁ ବଞ୍ଚିତ ରଖିଥିଲେ। ଦଳୀୟ ସ୍କୋର୍ ୦ ବେଳେ ୨ ୱିକେଟ୍ ହରାଇଥିବା ଇଂଲଣ୍ଡକୁ ରକ୍ଷା କରିଥିଲେ ବେୟାରଷ୍ଟୋ। ସେ ଗୋଟିଏ ପଟେ ୪୦ ଓଭର ପର୍ଯ୍ୟନ୍ତ କ୍ରିଜ୍ରେ ଅବସ୍ଥାନ କରି ନିଜର ଦଶମ ଦିନିକିଆ ଶତକ ପୂରଣ କରିଥିଲେ। ୧୨୬ ବଲ୍ରୁ ୧୨ ଚୌକା ଓ ୨ ଛକା ସହାୟତାରେ ୧୧୨ ରନ୍ କରି ପ୍ୟାଟ୍ କମିନ୍ସଙ୍କ ବଲ୍ରେ ଆଉଟ୍ ହେବା ପୂର୍ବରୁ ଦଳୀୟ ସ୍କୋର୍ ୨୨୦ରେ ପହଞ୍ଚାଇ ଦେଇଥିଲେ। ସେ ମୋର୍ଗାନ୍ (୨୩)ଙ୍କ ସହ ତୃତୀୟ ୱିକେଟ୍ରେ ୬୭, ସାମ୍ ବିଲିଙ୍ଗ୍ସଙ୍କ ସହ ପଞ୍ଚମ ୱିକେଟ୍ରେ ୧୧୪ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ଏହାପରେ ବିଲିଙ୍ଗ୍ସ (୫୭ ରନ୍, ୫୮ ବଲ୍, ୪ ଚୌକା ଓ ୨ ଛକା) ଓ ଅଲ୍ରାଉଣ୍ଡର କ୍ରିସ୍ ୱକ୍ସ (ଅପରାଜିତ ୫୩, ୩୯ ବଲ୍, ୬ ଚୌକା)ଙ୍କ ଅର୍ଧଶତକୀୟ ପାଳି ବଳରେ ଇଂଲଣ୍ଡ ସମ୍ମାନଜନକ ସ୍କୋର୍ ୩୦୨/୭ରେ ପାଳି ଶେଷ କରିଥିଲେ ମଧ୍ୟ ଶେଷରେ ହାରିଲା।
from ଖେଳ – Sambad https://ift.tt/3mx2MfO
0 Comments