
ଦୁବାଇ: ଚଳିତ ଆଇପିଏଲ୍ର ପ୍ରଥମ ୯ ମ୍ୟାଚ୍ ରବିବାର ରାତିରେ ଶେଷ ହୋଇଛି। ଏହି ସପ୍ତାହକ ଭିତରେ ଦିଲ୍ଲୀ କ୍ୟାପିଟାଲ୍ସ ଏକମାତ୍ର ଦଳ ଭାବରେ ଦୁଇଟି ବିଜୟ ସହ ପଏଣ୍ଟ ଟେବୁଲ୍ ଶୀର୍ଷକୁ ଉଠିଛି। ଅନ୍ୟପକ୍ଷରେ ୩ ଥର ବିଜେତା ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗସ ସର୍ବାଧିକ ୩ ମ୍ୟାଚ୍ ଖେଳିଥିଲେ ମଧ୍ୟ ଲଗାତାର ଦୁଇଟି ପରାଜୟ ବରଣ କରି ଚିନ୍ତାରେ ପଡିଛି। ଦୀର୍ଘଦିନର ଅପେକ୍ଷା ପରେ ଆରମ୍ଭ ହୋଇଥିବା ଏହି ଆଇପିଏଲ୍ ଯାତ୍ରାରେ ଧୋନିଙ୍କ ଭଳି ବିରାଟ କୋହଲିଙ୍କ ପ୍ରଦର୍ଶନକୁ ନେଇ ମଧ୍ୟ ଚର୍ଚା ଉଠିଛି। ତଥାପି ପ୍ରଥମ ସପ୍ତାହରେ ଗୋଟିଏ ସୁପର୍ ଓଭର୍ ମ୍ୟାଚ୍ ଦେଖିବାକୁ ମିଳିବା ଲିଗ୍ର ଲୟକୁ ଉପରକୁ ନେଇଛି। କେଏଲ୍ ରାହୁଲ ଓ ମୟଙ୍କ ଅଗ୍ରୱାଲଙ୍କ କୀର୍ତ୍ତିମାନଭରା ଶତକ ଏବଂ ଛକା ବର୍ଷା ସହ କିଛି ନାମି ଖେଳାଳିଙ୍କ ବିପର୍ଯ୍ୟୟ ପ୍ରଥମ ସପ୍ତାହ ଅତିକ୍ରାନ୍ତ କରିଛି।
ଦିଲ୍ଲୀ କ୍ୟାପିଟାଲ୍ସ: ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଆଇପିଏଲ୍ର ଏକ ସନ୍ତୁଳିତ ଦଳ ଭାବେ ବିବେଚିତ ହେଲାଣି। ସୁପର୍ ଓଭରରେ ପଞ୍ଜାବକୁ ଏବଂ ଶୁକ୍ରବାର ରାତିରେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ୪୪ ରନ୍ରେ ହରାଇ ଏହି ଦଳ ୨ରୁ ୨ ବିଜୟ ହାସଲ କରିଛି। ମାର୍କସ ଷ୍ଟୋଇନିସ୍ଙ୍କ ଭଳି ମ୍ୟାଚ୍ ବିଜେତା ବାହାରିଛନ୍ତି। ଶୀଷର୍କମ୍ରରେ ପୃଥ୍ବୀ ସ’, ଋଷବ ପନ୍ତ, ଶ୍ରେୟସ ଆୟର ବିପଜ୍ଜନକ ସାବ୍ୟସ୍ତ ହେଲେଣି। ଅନରିକ୍ ନର୍ଜେ ନିଜ ଗତି ଓ ବିବିଧତାରେ ଚେନ୍ନାଇକୁ ଚକ୍ମା ପରେ ଚକ୍ମା ଦେଇଥିଲେ। ଆହତ ସମସ୍ୟାରେ ଥିବା ରବିଚନ୍ଦ୍ରନ୍ ଅଶ୍ବିନ୍ ଓ ଈଶାନ୍ତ ଶର୍ମାଙ୍କ ବିନା ଦଳର ବୋଲିଂ ବିଭାଗ ବି ସାମର୍ଥ୍ୟଭରା ରହିଛି।
କିଙ୍ଗ୍ସ ଇଲେଭେନ୍ ପଞ୍ଜାବ: ମୟଙ୍କ ଅଗ୍ରୱାଲ ଏବଂ କେଏଲ୍ ରାହୁଲଙ୍କ ବ୍ୟାଟିଂ ବଳରେ କିଙ୍ଗସ ଇଲେଭେନ୍ ପଞ୍ଜାବ ଚମତ୍କାର ପ୍ରତ୍ୟାବର୍ତନ କରିଛି। ଦିଲ୍ଲୀ ନିକଟରୁ ଦଳ ନିଶ୍ଚିତ ବିଜୟରୁ ବଞ୍ଚିତ ହୋଇଥିଲେ ମଧ୍ୟ ଆର୍ସିବିକୁ ଗୁରୁବାର ୯୭ ରନ୍ର ବଡ଼ ବ୍ୟବଧାନରେ ହରାଇଛି ଏହି ଦଳ। କେଏଲ୍ ରାହୁଲ ଏହି ମ୍ୟାଚ୍ରେ ୬୯ ବଲ୍ରୁ ୧୩୨* ରନ୍ କରି ଆଇପିଏଲ୍ ଇତିହାସରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ ହାସଲ କରିଛନ୍ତି। ମୟଙ୍କ ଅଗ୍ରୱାଲ ଓ କେଏଲ୍ ରାହୁଲ୍ଙ୍କ ପରେ ଗ୍ଲେନ୍ ମ୍ୟାକ୍ସୱେଲ୍ ଯଦି ଅଧିକ ଦାୟିତ୍ବସମ୍ପନ୍ନ ହେବେ ପ୍ରୀତି ଜିଣ୍ଟାଙ୍କ ଦଳ ନିଶ୍ଚିତ ଅନ୍ୟମାନଙ୍କ ପାଇଁ ବିପଜ୍ଜନକ ସାବ୍ୟସ୍ତ ହେବେ। ରବିବାର ରାଜସ୍ଥାନଠାରୁ ହାରିବା କିନ୍ତୁ ଦଳ ପାଇଁ ଶକ୍ତ ଧକ୍କା ହୋଇଛି। ୨୨୩ ରନ୍ କରି ହାରିବା ପରେ ଦଳ ଏକପ୍ରକାର ଦୋହଲି ଯାଇଛି। ମୟଙ୍କ ଅଗ୍ରୱାଲଙ୍କ ଶତକ ବେକାର ଯାଇଛି।
ମୁମ୍ବାଇ ଇଣ୍ଡିଆନ୍ସ: ଉଦ୍ଘାଟନୀ ମ୍ୟାଚ୍ରେ ବିଫଳ ହେବାର ଧାରାକୁ ମୁମ୍ବାଇ ଇଣ୍ଡିଆନ୍ସ ଆଗକୁ ନେଇଥିଲା। ଚେନ୍ନାଇ ସୁପର୍ କିଙ୍ଗ୍ସ ନିକଟରୁ ୫ ୱିକେଟରେ ହାରିଯିବା ପରେ କୋଲକାତା ନାଇଟ୍ ରାଇଡର୍ସକୁ ୪୯ ରନ୍ର ବଡ଼ ବ୍ୟବଧାନରେ ହରାଇ ପ୍ରତ୍ୟାବର୍ତନ କରିଛି। ଦ୍ବିତୀୟ ସପ୍ତାହରେ ଏହାକୁ ଜାରି ରଖିବା ଆଶା ରହିଛି। ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବ ଭଲ ବ୍ୟାଟିଂ କରୁଛନ୍ତି। ପ୍ରଥମ ମ୍ୟାଚ୍ ବିଫଳତା ପରେ ଯଶପ୍ରୀତ୍ ବୁମରା ମଧ୍ୟ ଦ୍ବିତୀୟଟିରେ ଚମତ୍କାର ବୋଲିଂ କରିଛନ୍ତି। ଇଅନ୍ ମୋର୍ଗାନ ଓ ଆନ୍ଦ୍ରେ ରସେଲଙ୍କ ୱିକେଟ୍ ନେଇଥିଲେ।
ରାଜସ୍ଥାନ ରୟାଲ୍ସ: ରାଜସ୍ଥାନ ରୟାଲ୍ସକୁ ପ୍ରଥମରୁ କେହି ଦାବିଦାର ଦଳ କହିନାହାନ୍ତି। ଷ୍ଟିଭେନ୍ ସ୍ମିଥ୍ଙ୍କ ଦଳ କିନ୍ତୁ ପ୍ରଥମରୁ ପ୍ରଶଂସନୀୟ ଧାରଣା ଛାଡ଼ିଛନ୍ତି। ଚେନ୍ନାଇ ସୁପର୍ କିଙ୍ଗ୍ସ ବିପକ୍ଷରେ ସଞ୍ଜୁ ସାମସନ୍ ଓ ସ୍ମିଥ୍ଙ୍କ ସହ ଜୋଫ୍ରା ଆର୍ଚର ବ୍ୟାଟ୍ ଓ ବଲ୍ରେ କମାଲ କରି ଦଳକୁ ୨ ପଏଣ୍ଟ ପ୍ରଦାନ କରିବାରେ ବି ନିଜ ଅବଦାନ ରଖିଥିଲେ। ଦଳର ମଧ୍ୟକ୍ରମ କିନ୍ତୁ ପରୀକ୍ଷାରେ ପଡିନାହିଁ। ଚେନ୍ନାଇ ବିପକ୍ଷରେ ୨୧୬ ରନ୍ କରିବା ଏବଂ ୧୬ ରନ୍ରେ ଜିତିବା କିନ୍ତୁ ଦଳକୁ ଆତ୍ମବିଶ୍ବାସ ଦେଇଛି। ସେହିଭଳି ରବିବାର ୨୨୪ ରନ୍ର ଲକ୍ଷ୍ୟକୁ ସହଜରେ ହାସଲ କରି ରାଜସ୍ଥାନ ଆଉ ଏକ ସ୍ମରଣୀୟ ବିଜୟ ପାଇଛି।
ଚେନ୍ନାଇ ସୁପର୍ କିଙ୍ଗ୍ସ: ପ୍ରଥମ ୩ ମ୍ୟାଚ୍ରୁ ମାତ୍ର ଗୋଟିଏ ଜିତିଥିବା ଚେନ୍ନାଇ ସୁପର୍ କିଙ୍ଗ୍ସ ଏଥର ପ୍ଲେ ଅଫ୍ ଧାରାକୁ ବଜାୟ ରଖିବ କି ନା ପ୍ରଶ୍ନ ଉଠିଛି। ପ୍ରଥମରୁ ଦଳ ଭିତରେ ଉତ୍ସାହ ଓ ପ୍ରଭାବ ଥିବା ଭଳି ମନେ ହେଉନାହିଁ। ଅମ୍ବାତି ରାୟୁଡୁଙ୍କ ବିନା ଦଳର ଶୀର୍ଷକ୍ରମ ସଂଘର୍ଷ କରୁଛି। ମୁରଲୀ ବିଜୟ, ସେନ୍ ୱାଟସନ୍, ଋତୁରାଜ ଗାଏକ୍ବାଡ ଦଳକୁ ଭଲ ଆରମ୍ଭ ଦେଉନାହାନ୍ତି। ହରଭଜନ ସିଂହଙ୍କ ଅନୁପସ୍ଥିତିରେ ମଧ୍ୟ ଦଳର ମୁଖ୍ୟ ସାମର୍ଥ୍ୟ ସ୍ପିନ୍ ବିଭାଗ ଏବେ ସମସ୍ୟାର କାରଣ ପାଲଟିଛି। ମୁମ୍ବାଇକୁ ୫ ୱିକେଟରେ ହରାଇଥିଲେ ମଧ୍ୟ ରାଜସ୍ଥାନ ରୟାଲ୍ସଠୁ ୧୬ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ୪୪ ରନ୍ରେ ହାରି ଚିନ୍ତାରେ ପଡ଼ିଛି।
ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍: ସନ୍ରାଇଜର୍ସ ନିକଟରୁ ୧୦ ରନ୍ରେ ଅପ୍ରତ୍ୟାଶିତ ବିଜୟ ଛଡ଼ାଇ ନେବା ପରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ନିଶ୍ଚିତ ଖୁସି ହୋଇଥିଲା। ଦେବଦତ୍ତ ପଡିକଲ ଏବଂ ଏବି ଡି’ଭିଲିୟର୍ସ ଭଲ ଖେଳିଥିଲେ। ମାତ୍ର ୩ ଦିନ ପରେ କେଏଲ୍ ରାହୁଲଙ୍କ ବ୍ୟକ୍ତିଗତ ପାଳି ୧୩୨* ରନ୍କୁ ବି ସମ୍ପୂର୍ଣ୍ଣ ବାଙ୍ଗାଲୋର୍ (୧୦୯) ଦଳ ଅତିକ୍ରମ କରିନପାରି କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ନିକଟରୁ ୯୭ ରନ୍ରେ ହାରିଛି। ଡେଲ୍ ଷ୍ଟେନ୍ ୫୭ ରନ୍, ନଭଦୀପ ସୈନି ୩୭ ରନ୍ ଦେବା ଏବଂ ଉମେଶ ଯାଦବ ନିଜ ୨ ଓଭରରେ ୪୯ ରନ୍ ବ୍ୟୟ କରିବାର ଫଳ ଭୋଗିଛି ଦଳ। ଏବେ ବିରାଟ କୋହଲିଙ୍କ ଦଳ ଦ୍ବିତୀୟ ସପ୍ତାହରେ କିଭଳି କରୁଛି ଦେଖିବାକୁ ବାକି ରହିଲା।
ସନ୍ରାଇଜର୍ସ ହାଇଦ୍ରାବାଦ: ଆର୍ସିବି ବିପକ୍ଷରେ ଦୁର୍ଭାଗ୍ୟଜନକ ରନ୍ ଆଉଟ୍ ପରଠାରୁ ଡେଭିଡ୍ ୱାର୍ନରଙ୍କ ପାଇଁ କିଛି ଭଲ ବିତିନଥିଲା। ଦୀର୍ଘଦିନ ଧରି ଦଳକୁ ପିଛା କରୁଥିବା ସମସ୍ୟାକୁ ଦୂର କରିପାରିନାହିଁ। ଜନି ବେୟାରଷ୍ଟୋଙ୍କ ଆଉଟ୍ ସହ ଦଳ ୩୨ ରନ୍ରେ ୮ ୱିକେଟ୍ ହରାଇଦେବାରୁ ଆର୍ସିବି ନିକଟରୁ ହାରିଯାଇଥିଲା। ଦ୍ବିତୀୟ ମ୍ୟାଚ୍ରେ ମଧ୍ୟ ଏହି ଦଳ କେକେଆର୍ଠାରୁ ହାରି ଲଗାତାର ପରାଜୟ ବରଣ କରିଛି।
କୋଲକାତା ନାଇଟ୍ ରାଇଡର୍ସ: କେକେଆର୍ ନିକଟରେ ଆଇପିଏଲ୍ର ସବୁଠୁ ବିସ୍ଫୋରକ ବ୍ୟାଟିଂ ଲାଇନ୍ ଅପ୍ ରହିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦଳ କିନ୍ତୁ ପାୱାର ଫ୍ଲପ୍ ହେବା ଭଳି ପ୍ରଦର୍ଶନ କରିଥିଲା। ଶିଭମ ମାଭି ଭଲ ବୋଲିଂ କରିଥିଲେ କିନ୍ତୁ ଦାମୀ ଖେଳାଳି ପ୍ୟାଟ୍ କମିନ୍ସ ଧୂଲେଇର ଶିକାର ହୋଇଥିଲେ। ୧୯୬ ରନ୍ର ପଶ୍ଚାତଧାବନ ବେଳେ ଆନ୍ଦ୍ରେ ରସେଲ ଏବଂ ଇଅନ୍ ମୋର୍ଗାନ ବିଳମ୍ବରେ ବ୍ୟାଟିଂ କରିବାକୁ ଆସିବା ଏହାର ପ୍ରମାଣ ଦେଇଥିଲା। ଦଳ ପାଇଁ ବଡ଼ ଚିନ୍ତାର କାରଣ ହୋଇଛନ୍ତି କୁଲଦୀପ ଯାଦବ। ମିଡଲ୍ ଓଭରରେ ଦଳକୁ ୱିକେଟ୍ ଦେବାରେ ବିଫଳ ହୋଇଛନ୍ତି। ଦ୍ବିତୀୟ ମ୍ୟାଚ୍ରେ ଅବଶ୍ୟ ଏହି ଦଳ ସନ୍ରାଇଜର୍ସ ହାଇଦ୍ରାବାଦକୁ ସହଜରେ ୭ ୱିକେଟ୍ରେ ହରାଇଛି।
from ଖେଳ – Sambad https://ift.tt/30cYa4F
0 Comments