
ପ୍ୟାରିସ: ଫ୍ରେଞ୍ଚ୍ ଓପନ୍ ଟେନିସ ପ୍ରତିଯୋଗିତା ରବିବାରଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବର୍ଷା ଓ କୋହଲା ପାଗ ପ୍ରତିଯୋଗିତାକୁ ଟିକେ ଧିମା କରିଦେଇଛି। ପୂର୍ବତନ ଏବଂ ଏବର ଶୀର୍ଷ ମାନ୍ୟତାପ୍ରାପ୍ତ ମହିଳା ଟେନିସ ଖେଳାଳି ଭିକ୍ଟୋରିଆ ଆଜାରେଙ୍କା ଓ ସିମୋନା ହାଲେପ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ରବିବାର ପ୍ରଥମ ପର୍ଯ୍ୟାୟ ମୁକାବିଲାରେ ଦଶମ ମାନ୍ୟତାପ୍ରାପ୍ତ ୩୧ ବର୍ଷୀୟା ବେଲାରୁଷ ଲଳନା ଆଜାରେଙ୍କା ସିଧାସଳଖ ୬-୧, ୬-୨ ସେଟ୍ରେ ୭୪ ମାନ୍ୟତାପ୍ରାପ୍ତ ଡାନ୍କା କୋଭିନିକଙ୍କୁ ମାତ୍ ଦେଇଥିଲେ। ସେହିଭଳି ୨୯ ବର୍ଷୀୟା ରୋମାନିଆର ହାଲେପ ୬-୪, ୬-୦ ସେଟ୍ରେ ସ୍ପେନ୍ର ସାରା ସୋରିବେସ ଟୋର୍ମୋଙ୍କୁ ହରାଇଥିଲେ। ତେବେ ଆମେରିକାର ଭେନସ୍ ୱିଲିୟମ୍ସଙ୍କ ଅଭିଯାନ ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଛି। ତାଙ୍କୁ ୪-୬, ୪-୬ ସେଟ୍ରେ ସ୍ଲୋଭୋକିଆର ଆନ୍ନା କରୋଲିନା ସ୍ମିଦୋଲୋଭା ପରାସ୍ତ କରି ବିଦାୟର ରାସ୍ତା ଦେଖାଇଥିଲେ।
‘କୋହଲା ପାଗରେ ବତକ ପରି ଥରିଲେ ଆଜାରେଙ୍କା’
ଆଜାରେଙ୍କା ବିଜୟ ପାଇଥିଲେ ମଧ୍ୟ ରୋଲାଣ୍ଡ ଗ୍ୟାରୋସର ବର୍ଷା ଓ କୋହଲା ପାଗ (୧୦ ଡିଗ୍ରିରୁ କମ୍ ଉତ୍ତାପ) ଯୋଗୁଁ ସେ ଟିକେ ନିରାଶ ଥିଲେ। ଶୀତ ଯୋଗୁଁ ଖେଳି ନପାରିବାରୁ ସୁପରଭାଇଜର ସ୍ଥିତି ପରିଖିଥିଲେ। ମ୍ୟାଚ୍ ଆରମ୍ଭର ୧୫ ମିନିଟ୍ ପରେ କିଛି ସମୟ ସ୍ଥଗିତ ରଖିଥିଲେ। ଏହା ପରେ ୟୁଏସ୍ ଓପନ୍ ଉପବିଜୟିନୀ ଆଜାରେଙ୍କା କଳା ଲେଙ୍ଗିଙ୍ଗ୍ସ ସାଙ୍ଗକୁ ଟ୍ରାକ୍ସୁଟ୍ ପିନ୍ଧି କୋର୍ଟକୁ ଓହ୍ଲାଇଥିଲେ। ଶୀତ ଯୋଗୁଁ ତାଙ୍କ ଆବିଭାବ ଦର୍ଶକଙ୍କୁ ମନୋରଂଜନ ଯୋଗାଇଥିଲା। ସେ ବତକ ପରି ଥରୁଥିବାର ଦେଖିବାକୁ ମିଳିଥିଲା। ‘‘ଏହା ଟିକିଏ ହାସ୍ୟସ୍ପଦ ଥିଲା। ଏଠାରେ ୮ ଡିଗ୍ରି ଥିଲା। ମୁଁ ଫ୍ଲେରିଡାରେ ରହେ। ଗରମ ପାଣିପାଗ ସହ ଅଭ୍ୟସ୍ତ। ତେଣୁ ଶୀତ ଯୋଗୁଁ ଖେଳିବା କଷ୍ଟକର ହୋଇଥିଲା। ଯାହା ହେଉ ମୁଁ ମ୍ୟାଚ୍ ଶେଷ କରିଥିଲି। ଅନ୍ୟ ଖେଳାଳିମାନେ ଏଭଳି ପାଗ ଓ ବର୍ଷାରେ କିଭଳି ଖେଳୁଛନ୍ତି ତାହା ଦେଖିବାର ଅଛି’’ବୋଲି ଆଜାରେଙ୍କା କହିଛନ୍ତି।
from ଖେଳ – Sambad https://ift.tt/30ci67X
0 Comments