
ଦୁବାଇ: ପ୍ରଥମ ୭ ମ୍ୟାଚ୍ରୁ ମାତ୍ର ୨ ବିଜୟ ଓ ୫ ପରାଜୟ ପାଇଥିବା ତିନି ଥର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ)ର ଭାଗ୍ୟ ଅଷ୍ଟମ ମୁକାବିଲାରେ ବଦଳିଛି। ସନ୍ରାଇଜର୍ସ ହାଇଦ୍ରାବାଦକୁ ୨୦ ରନ୍ରେ ପରାସ୍ତ କରି ଏହି ଦଳ ମଧ୍ୟ ସବାଶେଷ ସ୍ଥାନକୁ ଖସିବାର ଆଶଙ୍କାକୁ ଏଡ଼ାଇଛି। ମଙ୍ଗଳବାରର ପ୍ରତୀକ୍ଷିତ ବିଜୟ ପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହ ସିଏସ୍କେର ଅଗଣିତ ପ୍ରଶଂସକଙ୍କ ମୁହଁକୁ ହସ ଫେରିଛି। ବୟସ୍କ ଦଳ ଏବଂ ବିତର୍କିତ ରଣନୀତି ପାଇଁ ଚାପରେ ଥିବା ଚେନ୍ନାଇ ଆଜି ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ବିଳମ୍ବିତ ବିସ୍ଫୋରଣ ପାଇଁ ନିର୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୭ ରନ୍ର ଆହ୍ବାନପୂର୍ଣ୍ଣ ସ୍କୋର କରିଥିଲା। ଏହାର ଜବାବରେ ଚଳିତ ଆଇପିଏଲ୍ର ଏହି ୨୯ତମ ମ୍ୟାଚ୍ରେ ସନ୍ରାଇଜର୍ସ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରି ପରାଜିତ ହୋଇଥିଲା। ଏହି ଦଳର ନିର୍ଭରଯୋଗ୍ୟ ବ୍ୟାଟର କେନ୍ ୱିଲିୟମସନଙ୍କ ଚିତ୍ତାକର୍ଷକ ଅର୍ଧଶତକ ମଧ୍ୟ ବେକାର ଯାଇଥିଲା। ସିଏସ୍କେ ଅଷ୍ଟମ ମ୍ୟାଚ୍ରୁ ତୃତୀୟ ବିଜୟ ହାସଲ କରିଥିଲା ବେଳେ ସନ୍ରାଇଜର୍ସ ସେହି ଆଠ ମ୍ୟାଚ୍ରୁ ପଞ୍ଚମ ପରାଜୟ ବରଣ କରିଥିଲା। ସିଏସ୍କେ ଏବେ ସପ୍ତମରୁ ଷଷ୍ଠକୁ ଉନ୍ନୀତ ହୋଇଛି। ସନ୍ରାଇଜର୍ସ ଅନ୍ୟପକ୍ଷରେ ପଞ୍ଚମରେ ସ୍ଥିର ରହିଛି।
୧୬୮ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ସନ୍ରାଇଜର୍ସ ହାଇଦ୍ରାବାଦ ମାତ୍ର ୨୭ ରନ୍ରେ ଅଧିନାୟକ ଡେଭିଡ୍ ୱାର୍ନର (୯) ଓ ମନୀଷ ପାଣ୍ଡେ (୪)ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ଜନି ବେୟାରଷ୍ଟୋ (୨୩) ମଧ୍ୟ ବଡ଼ ସ୍କୋର କରି ପାରି ନଥିଲେ। ଚତୁର୍ଥ ସ୍ଥାନରେ ଆସିଥିବା ୱିଲିୟମସନ୍ (୫୭ ରନ୍, ୩୯ ବଲ୍, ୯ ଚୌକା) କିନ୍ତୁ ଲଢ଼ିବା ଛାଡ଼ି ନଥିଲେ। ୩୬ ବଲ୍ରୁ ଅର୍ଧଶତକ ଅର୍ଜନ କରି ସନ୍ରାଇଜର୍ସ ପାଇଁ ଆଶା ସଂଚାର କରିଥିଲେ ସେ। କିନ୍ତୁ କର୍ଣ୍ଣ ଶର୍ମା ତାଙ୍କୁ ସାର୍ଦୁଲ ଠାକୁରଙ୍କ ହାତରେ କ୍ୟାଚ୍ କରାଇବା ପରେ ଚେନ୍ନାଇ ବିଜୟ ଏକପ୍ରକାର ପକ୍କା ହୋଇ ଯାଇଥିଲା। କେବଳ ଯାହା ଔପଚାରିକତା ବାକିଥିଲା। ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିବା ସନ୍ରାଇଜର୍ସ ଶେଷରେ ୮ ୱିକେଟ୍ ହରାଇ ମାତ୍ର ୧୪୭ ରନ୍ କରି ପାରିଥିଲା। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଜାଦେଜା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ମଙ୍ଗଳବାର ସିଏସ୍କେ ପୁଣି ଥରେ ତା’ର ବ୍ୟାଟିଂକ୍ରମରେ ପରୀକ୍ଷାନିରୀକ୍ଷା କରିଥିଲା। ହେଲେ ପ୍ରାରମ୍ଭିକ ଯୋଡ଼ିର ବିଫଳତା ପୂର୍ବବତ୍ ଅପରିବର୍ତ୍ତିତ ରହିଥିଲା। ଆଜି ଟସ୍ ଜିତି ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତେବେ ଫାଫ୍ ଡୁ’ ପ୍ଲେସିସ୍ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ଯୁବ ପ୍ରାରମ୍ଭିକ ବ୍ୟାଟର୍ ସାମ୍ କରନ ଅବଶ୍ୟ ଦ୍ରୁତ ୩୧ ରନ୍ କରିଥିଲେ। ତୃତୀୟ ସ୍ଥାନରେ ଖେଳିଥିବା ସେନ୍ ୱାଟସନ୍ (୪୨ ରନ୍, ୩୮ ବଲ୍, ୧ ଚୌକା, ୩ ଛକା) ଓ ଅମ୍ବାତି ରାୟୁଡୁ (୪୧ ରନ୍, ୩୪ ବଲ୍, ୩ ଚୌକା, ୨ ଛକା) ତୃତୀୟ ୱିକେଟ୍ରେ ୮୧ ରନ୍ ଯୋଡ଼ି ସ୍ଥିତି କିଛିଟା ସୁଧାରି ଥିଲେ। ହେଲେ ଏହି ଦୁଇ ଜଣ ୪ ରନ୍ ଭିତରେ ଆଉଟ୍ ହେବା ଚେନ୍ନାଇ ରନ୍ ସଂଗ୍ରହ ହାରକୁ କମାଇ ଦେଇଥିଲା। ଅଲରାଉଣ୍ଡର ଡ୍ବେନ୍ ବ୍ରାଭୋ (୦) ନିଜ ଦ୍ବିତୀୟ ବଲ୍ରେ କ୍ଲିନ୍ ବୋଲ୍ଡ ହେବା ଦଳ ପାଇଁ ଆଉ ଏକ ଝଟ୍କା ଥିଲା। ଏକଦା ୧୫୦ ରନ୍ ଛୁଇଁବାକୁ ସଂଘର୍ଷ କରୁଥିବା ଚେନ୍ନାଇ ଧୋନିଙ୍କ ୧୩ ବଲ୍ ୨୧ ଏବଂ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା (୨୫* ରନ୍, ୧୦ ବଲ୍, ୩ ଚୌକା, ୧ ଛକା)ଙ୍କ ଧମାକାଦାର ବ୍ୟାଟିଂ ପାଇଁ ନିର୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୭ ରନ୍ କରି ନେଇଥିଲା।
The post ଚେନ୍ନାଇ ଚମକ ଫେରିଲା, ସନ୍ରାଇଜର୍ସର ପଞ୍ଚମ ପରାଜୟ first appeared on Sambad.
from ଖେଳ – Sambad https://ift.tt/373td7x
0 Comments