
ଭୁବନେଶ୍ବର: କ୍ରୀଡ଼ା ପ୍ରୋତ୍ସାହନରେ ଓଡ଼ିଶା ଯେ ଦେଶର ଏକ ନମ୍ବର ରାଜ୍ୟ। ଏକଥା ପୁଣି ଥରେ ପ୍ରମାଣିତ ହୋଇଛି। ଦୁଇ ବର୍ଷ ତଳେ ହକି ଇଣ୍ଡିଆ ସହ ପାଞ୍ଚ ବର୍ଷିୟା ଚୁକ୍ତି କରି କୌଣସି ଖେଳର ପ୍ରାୟୋଜକ ହେବାରେ ପ୍ରଥମ ରାଜ୍ୟ ପାଲଟିଥିଲା ଓଡ଼ିଶା। ଏବେ ଶକ୍ତି, ସାମର୍ଥ୍ୟ ଓ ସାହସର ଖେଳ ରଗ୍ବି ବିକାଶର ଗୁରୁ ଦାୟିତ୍ବ ଓଡ଼ିଶା ସରକାର ଗ୍ରହଣ କରିଛନ୍ତି। ହକି ପରେ ଦ୍ବିତୀୟ ଖେଳ ଭାବେ ରଗ୍ବିର ପ୍ରାୟୋଜକ ହୋଇଛି ଓଡ଼ିଶା। ତା’ ସହ ଭାରତୀୟ କ୍ରୀଡ଼ା ଇତିହାସରେ ଆଉ ଏକ ନବୀନ ଫର୍ଦ ଯୋଡ଼ି ହୋଇଛି। ଫଳରେ ରଗ୍ବି ଖେଳର ପ୍ରଚାର, ପ୍ରସାର ସହ ପ୍ରତିଭା ଚିହ୍ନଟ, ପ୍ରଶିକ୍ଷଣ ଓ ଖେଳାଳି ଗଢ଼ିବାରେ ଓଡ଼ିଶା ଦେଶର ପ୍ରମୁଖ ପେଣ୍ଠସ୍ଥଳୀ ପାଲଟିବାକୁ ଯାଉଛି।
ଆଗାମୀ ତିନି ବର୍ଷ ଯାଏଁ ଓଡ଼ିଶା ସରକାର ଜାତୀୟ ରଗ୍ବି ଦଳର ମୁଖ୍ୟ ପୃଷ୍ଠପୋଷକ ଓ ପ୍ରାୟୋଜକ ରହିବେ। ଉଭୟ ଭାରତୀୟ ମହିଳା ଓ ପୁରୁଷ ରଗ୍ବି ଦଳର ଅନ୍ତର୍ଜାତୀୟ ଅଂଶଗ୍ରହଣ ଲାଗି ଆବଶ୍ୟକ ପ୍ରଶିକ୍ଷଣ, ସୁବିଧା ସୁଯୋଗ ଏବଂ ପ୍ରୋତ୍ସାହନ ଲାଗି ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ। ହେଲେ ଏଥିଲାଗି ଆଇଆର୍ଏଫ୍ୟୁକୁ କେତେ ଟଙ୍କା ଦେବେ ସେ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ।
ମଙ୍ଗଳବାର ଏଥିନେଇ କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ରଗ୍ବି ଫୁଟବଲ୍ ୟୁନିୟନ (ଆଇଆର୍ଏଫ୍ୟୁ) ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଆନୁଷ୍ଠାନିକ ଚୁକ୍ତି ସ୍ବାକ୍ଷର ହୋଇଯାଇଛି। ତଦନୁଯାୟୀ ୨୦୨୩ ପର୍ଯ୍ୟନ୍ତ ଭାରତୀୟ ରଗ୍ବି ଦଳର ପ୍ରାୟୋଜକ ରହିବ ଓଡ଼ିଶା। ତା’ ସହ ହାଇପର୍ଫମାନ୍ସ କେନ୍ଦ୍ର ସ୍ଥାପନ, ଅନ୍ତର୍ଜାତୀୟ ମାନର ପ୍ରଶିକ୍ଷଣ ଓ ପ୍ରତିଭା ବିକାଶ ଲାଗି ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ମଧ୍ୟ ଯୋଗାଇ ଦେବେ। କ୍ରୀଡ଼ା ନିର୍ଦେଶକ ତଥା ଅତିରିକ୍ତ ସଚିବ ଆର ଭିନିଲକ୍ରିଷ୍ଣା ଏବଂ ଆଇଆର୍ଏଫୟୁ ସଭାପତି ମାନେକ ଉଁୱାଲା ଚୁକ୍ତିପତ୍ରରେ ସ୍ବାକ୍ଷର କରିଥିଲେ। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିଶାଲ ଦେବ, ଆଇଆର୍ଏଫ୍ୟୁ ମୁଖ୍ୟ କାର୍ଯ୍ୟନିର୍ବାହୀ ନାସିର ହୁସେନ, ଅଭିନେତା, ନିଦ୍ଦେର୍ଶକ ତଥା ପୂର୍ବତନ ଅନ୍ତର୍ଜାତୀୟ ରଗ୍ବି ଖେଳାଳି ରାହୁଲ ବୋଷ, ଆଇଆର୍ଏଫ୍ୟୁ ବୋର୍ଡ ସଦସ୍ୟ ତଥା ଓଡ଼ିଶା ରଗ୍ବି ଫୁଟବଲ୍ ୟୁନିୟନର ସଂପାଦକ ଉପେନ୍ଦ୍ର କୁମାର ମହାନ୍ତି, ସଭାପତି ପ୍ରିୟଦର୍ଶୀ ମିଶ୍ର ଏବଂ କ୍ରୀଡ଼ା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
‘ଓଡ଼ିଶାରେ ରଗ୍ବି ଆହୁରି ଲୋକପ୍ରିୟ ହେବ’
‘‘ରଗ୍ବି ଇଣ୍ଡିଆର ନିରନ୍ତର ପ୍ରୟାସ ଲାଗି ଭାରତରେ ରଗ୍ବି କ୍ରମଶଃ ଲୋକପ୍ରିୟତାର ନୂଆ ସ୍ତର ଛୁଇଁ ଚାଲିଛି। ଜାତୀୟ ଓ ଅନ୍ତର୍ଜାତୀୟ ରଗ୍ବିରେ ଓଡ଼ିଶା ଖେଳାଳିମାନେ ମଧ୍ୟ ବହୁ ସଫଳତା ସାଉଣ୍ଟିଛନ୍ତି। ରାଜ୍ୟ ସରକାର ପ୍ରାୟୋଜକ ହେବା ପରେ ଓଡ଼ିଶାରେ ରଗ୍ବି ଖେଳ ଆହୁରି ଲୋକପ୍ରିୟ ହେବ। ଏହା ଦ୍ବାରା ଭାରତୀୟ ରଗ୍ବି ଦଳ ମଧ୍ୟ ଉଚ୍ଚକୋଟୀର ପ୍ରଶିକ୍ଷଣ ପାଇ ପାରିବ। ଓଡ଼ିଶା ସରକାର ଏବଂ ଆଇଆର୍ଏଫ୍ୟୁ ସହବନ୍ଧନ ପରେ ତୃଣମୂଳସ୍ତରରେ ରଗ୍ବି ବିକାଶ, ପ୍ରତିଭା ଚିହ୍ନଟ ସହ ଦେଶ ଓ ରାଜ୍ୟରୁ ଆଗାମୀ ସମୟରେ ବହୁ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି ହୋଇପାରିବେ’’ ବୋଲି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ଅବସରରେ କହିଥିଲେ। ଆଇଆର୍ଏଫ୍ୟୁ ସଭାପତି ମାନେକ ଉଁୱାଲା, ଓଡ଼ିଶା ସରକାର ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗକୁ ଧନ୍ୟବାଦ ଦେଇଥିଲେ। କ୍ରୀଡ଼ା ପ୍ରୋତ୍ସାହନରେ ଦେଶର ଏକ ନମ୍ବର ରାଜ୍ୟ ମାନ୍ୟତା ଲାଭ କରିଥିବା ଓଡ଼ିଶା ଆଗାମୀ ସମୟରେ ଦେଶର କ୍ରୀଡ଼ା ପ୍ରଶିକ୍ଷଣ ଓ ଅଭ୍ୟାସର ପ୍ରମୁଖ ପେଣ୍ଠସ୍ଥଳୀ ପାଲଟିବ ବୋଲି ଆଶା ପ୍ରକାଶ କରିଥିଲେ। ଲୋକପ୍ରିୟ ଅଭିନେତା ରାହୁଲ ବୋଷ କହିଥିଲେ ଭାରତୀୟ ରଗ୍ବି ପାଇଁ ଏହା ଏକ ଐତିହାସିକ ଦିବସ। ପ୍ରଥମ ଥର ପାଇଁ ଭାରତୀୟ ମହିଳା ଓ ପୁରୁଷ ରଗ୍ବି ଦଳର ଖେଳାଳିମାନେ ସେମାନଙ୍କ ସେବା ପାଇଁ ପାଉଣା ପାଇବେ। ଦେଶରେ ରଗ୍ବିକୁ ଏକ ପେସାଦାର ଖେଳ ଭାବେ ଗଢ଼ି ତୋଳିବାରେ ଏହା ନିଶ୍ଚିତ ଭାବେ ସହାୟକ ହେବ। ରଗ୍ବି ଇଣ୍ଡିଆ ବ୍ରାଣ୍ଡ ଓଡ଼ିଶାର ସମ୍ମାନ ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରୁଛି। ଓରଫା ସଂପାଦକ ଉପେନ୍ଦ୍ର ମହାନ୍ତି ଏହି ସହବନ୍ଧନକୁ ସ୍ବାଗତ କରିଛନ୍ତି। ତୃଣମୂଳ ଓ ସ୍କୁଲ ସ୍ତରରେ ରଗ୍ବିର ବିକାଶ ସହ ଆମେ ଏଠାରେ ସ୍ଥାପିତ ହେବାକୁ ଥିବା ହାଇଫର୍ମମାନ୍ସ ସେଣ୍ଟରରେ ଓଡ଼ିଶାର ଖେଳାଳିଙ୍କୁ ଅନ୍ତର୍ଜାତୀୟ ସ୍ତରର ପ୍ରଶିକ୍ଷଣ ଦେଇପାରିବୁ। ଫଳରେ ଓଡ଼ିଶାରୁ ଆହୁରି ଅଧିକ ଅନ୍ତର୍ଜାତୀୟ ରଗ୍ବି ଖେଳାଳି ସୃଷ୍ଟି ହୋଇପାରିବେ ବୋଲି ସେ କହିଥିଲେ।
The post ହକି ପରେ ରଗ୍ବି ପ୍ରାୟୋଜକ ହେଲା ଓଡ଼ିଶା, ଆଇଆରଏଫ୍ୟୁ ସହ ୩ ବର୍ଷିୟା ଚୁକ୍ତି ସ୍ବାକ୍ଷର first appeared on Sambad.
from ଖେଳ – Sambad https://ift.tt/3lHB0fc
0 Comments